- ନିଜସ୍ଵ ଖର୍ଚ୍ଚରେ ସଡ଼କ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଗାଁ ଲୋକ
ଜୟପାଟଣା, (ଶେଷଦେବ ବେହେରା) : ରାଜତନ୍ତ୍ରରୁ ଆରମ୍ଭ କରି ପ୍ରଜାତନ୍ତ୍ର ପର୍ଯ୍ୟନ୍ତ ଅନୁଭୂତି ରଖି ଆସିଥିବା ଗାଁ ମାନଙ୍କର ତିନି ପିଢ଼ି ଏବେ ଆରପାରିକୁ ଚାଲି ଗଲେଣି । ଏମାନେ ରାଜତନ୍ତ୍ରର ଭୟରେ ପ୍ରକୃତିର ଦୁର୍ଗମ ଅଞ୍ଚଳକୁ ସୁରକ୍ଷାର ବଳୟ ଭାବି ବସତି ସ୍ଥାପନ କରିଦେଲେ । ସେମାନଙ୍କ ପାଇଁ ପ୍ରକୃତିରୁ ଉପଲବ୍ଧ ସାମଗ୍ରୀ ଜୀବନ ଧାରଣ ପାଇଁ ସବୁକିଛି ଥିଲା । କିନ୍ତୁ ସ୍ଵାଧୀନତା ପରେ ଜଙ୍ଗଲ ଅବକ୍ଷୟ ସେମାନଙ୍କ ଜୀବନ ଜୀବିକାରେ ବାଧକ ସାଜିଲା । ଏବେ ଚାରି ଆଡେ ବିକାଶର ମନ୍ତ୍ର ବାଜୁଥିବା ବେଳେ ଏହି ନିରୀହ ଅଧିବାସୀଙ୍କ ଖାଦ୍ୟ ସୁରକ୍ଷା, ବିଜୁଳି ବ୍ୟବସ୍ଥା ଓ ଆବାସ ଯୋଜନା ପହଞ୍ଚୁ ଥିବା ବେଳେ ଗାଁକୁ ପହଞ୍ଚିବା ପାଇଁ ସଡ଼କ ବ୍ୟବସ୍ଥା ବାଧକ ସାଜିଛି । ଆଣ୍ଠୁ ଭିଜା କାଦୁଅ ପଚ୍ ପଚ୍ ହେଉଥିବା ସଡ଼କ ଜୀବନ ଯାତ୍ରା ପାଇଁ କାଳ ସାଜିଛି । ଜୟପାଟଣା ବ୍ଲକର ଧନସୂଳୀ ପଞ୍ଚାୟତ ଅନ୍ତର୍ଗତ ସାସ୍ତୁ ଗୁଡାରୁ ତିନି କିଲୋ ମିଟର ଗଲା ପରେ ପଡ଼ିଥାଏ ଭାଟିପାସ ଗାଁ । ଏହି ଗାଁ ଉପରେ ପୁଣି ନିର୍ଭରଶୀଳ ପାହାଡ଼ ଉପରେ ଥିବା ନଳାଛୁଆଁ ଓ ବାଙ୍ଗଟି ସାହାଜ ଗାଁ । ଏହି ସଡ଼କ ନିର୍ମାଣ ପାଇଁ ଅନେକଙ୍କ ଭାଗ୍ୟ ବଦଳି ଗଲା ହେଲେ ସଡ଼କ ଉପରେ ନିର୍ଭରଶୀଳ ମଣିଷ ମାନଙ୍କର କୌଣସି ସୁବିଧା ହୋଇ ପାରିଲା ନାହିଁ ବୋଲି ଲୋକେ ଅଭିଯୋଗ କରନ୍ତି । ଚଳିତ ବର୍ଷ ରାସ୍ତାର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଥିବା ବେଳେ ଯାତାୟାତ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି । ପ୍ରସୂତି, ରୋଗୀ ଓ ଶିଶୁ ମାନଙ୍କ ପାଠପଢା ସମ୍ପୂର୍ଣ୍ଣ ପ୍ରଭାବିତ ହେବା ସହିତ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ମଧ୍ୟ ଦୁର୍ଲଭ ହୋଇପଡ଼ିଛି । ଗତବର୍ଷ ଡାଇରିଆ ସଂକ୍ରମଣରେ ତିନି ଜଣଙ୍କ ଅକାଳ ମୃତ୍ୟୁ ଏବେ ବି ଲୋକଙ୍କ ମଧ୍ୟରେ ଶିହରଣ ଖେଳେଇ ଦେଉଛି । ଏଭଳି ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବା ପାଇଁ ଗାଁଲୋକେ ନିଜସ୍ଵ ଉଦ୍ୟମରେ ସଡ଼କ ମରାମତିର ସଂକଳ୍ପ ନେଇଥିବା ନେଇଥିବା ଜଣାପଡ଼ିଛି । ଗାଁର ମହିଳାମାନେ ମଧ୍ୟ ଅଣ୍ଟା ଭିଡ଼ି ଥିବା ଦେଖିବାକୁ ମିଳିଛି । ନିଜସ୍ଵ ସମ୍ବଳରେ ତିନି କିଲୋମିଟର ସଡ଼କ ନିର୍ମାଣ ହୁଏତ କଷ୍ଟସାଧ୍ୟ ହୋଇପାରେ କିନ୍ତୁ ୨୧ଟି ଆଦିବାସୀ ପରିବାରର ଏକ ଗାଁ ଲୋକଙ୍କ ନିଆରା ସଂକଳ୍ପ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ପାରେ । ଚାନ୍ଦା କରି ତିନୋଟି ଟ୍ରାକ୍ଟରରେ ବାଲି ବୁହା ହେଲା । ମହିଳାମାନେ ମଧ୍ୟ କାମରେ ଲାଗିଲେ । ଖବର ପାଇ ଆମେ ମଧ୍ୟ କାଦୁଅ ରାସ୍ତାରେ ତିନି କିଲୋମିଟର ପାଦରେ ଚାଲି ପହଞ୍ଚି ଥିଲୁ । ବିଶେଷ ଅନୁଦାନ ଥାଇ ମଧ୍ୟ ଗାଁ ପ୍ରତି ନିର୍ବାଚିତ ପ୍ରତିନିଧିମାନେ ଆନ୍ତରିକତା ରଖୁ ନ ଥିବା ପ୍ରକାଶ କରିଥିଲେ । ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଏହି ଅନେକାଂଶ ଅଞ୍ଚଳ ଅଂସର୍ଭେ ଇଲାକା ପରିଚୟ ରଖି ସଂଯୋଗ ବିକାଶକୁ ଅନାଇ ବସିଥିବା ବେଳେ, ପ୍ରଶାସନିକ ସହାୟତା ହିଁ ଏକ ମାତ୍ର ବିକଳ୍ପ ବୋଲି ଲୋକେ ପ୍ରକାଶ କରିଛନ୍ତି । ଏହି ରାସ୍ତାର ସ୍ଥାୟୀତ୍ୱକୁ ନଜରରେ ରଖି ଏହି ଅବହେଳିତ ତିନୋଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ସଂଯୋଗ କଲେ ସମସ୍ତଙ୍କ ଦୁର୍ଦ୍ଦଶା ଲାଘବ ହେବା ସହିତ ମୁଖ୍ୟ ସ୍ରୋତରେ ମିଶିବା ପାଇଁ ସୁଗମ ହେବ ବୋଲି ଆଲୋଚନା ହେଉଛି ।