jayashree

ବ୍ରହ୍ମପୁର ଠାରେ ତୁରନ୍ତ ସରକାର ଏୟାର ସର୍ଭିସ ଆରମ୍ଭ କରନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବୀ ଜଣାଇଲେ ବ୍ରହ୍ମପୁରର କଂଗ୍ରେସ ପାର୍ଥୀ ଭି. ଚନ୍ଦ୍ର ଶେଖର ନାଇଡୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଠାରେ ତୁରନ୍ତ ସରକାର ଏୟାର ସର୍ଭିସ ଆରମ୍ଭ କରନ୍ତୁ । ବ୍ରହ୍ମପୁର ରଂଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ତୁରନ୍ତ ଏୟାର ସର୍ଭିସ ଆରମ୍ଭ କରିବାକୁ ଦାବୀ କରିଛନ୍ତି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ଭି. ଚନ୍ଦ୍ରଶେଖର ନାଇଡୁ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନର ଭିତ୍ତିଭୂମିରେ ଅଗ୍ରାଧିକାର ଭିତ୍ତିରେ ଏହା ଆରମ୍ଭ କରିବାକୁ ସେ କହିଛନ୍ତି । ଦୀର୍ଘଦୀନରୁ ଏନେଇ ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ପୁରା ଚୁପ ହୋଇ ବସି ରହିଛନ୍ତି । ସାମଗ୍ରିକ ଭାବେ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ଗଜପତି ଓ ଗଞ୍ଜାମରେ ସ୍ୱାସ୍ଥ୍ୟ ଭଳି ସଂବେଦନଶୀଳ ପ୍ରସଂଗରେ ରୋଗୀ ସଠିକ ସମୟରେ ସ୍ଥାନାନ୍ତରିତ ହୋଇ ପାରୁନଥିବାରୁ ଲୋକମାନେ ନିଜର ପ୍ରିୟଜନ ମାନଙ୍କୁ ହରାଉଛନ୍ତି । କୋଭିଡ-୧୯ ସମୟରେ ଏଭଳି ଅନେକ ଲୋକ ପ୍ରାଣ ହରାଇଥିବା ନଜିର ରହିଛି । ସ୍ଥାନୀୟ ଲୋକମାନେ ଏୟାର ସର୍ଭିସ ପାଇଁ ଭୁବନେଶ୍ୱର କିମ୍ବା ବିଶାଖାପାଟଣା ଉପରେ ନିର୍ଭରଶୀଳ ହେଉଛନ୍ତି । ଏଠାରେ ଏୟାର ସର୍ଭିସ ଆରମ୍ଭ ହେଲେ ପର୍ଯ୍ୟଟନ, ହସ୍ତଶିଳ୍ପ ପ୍ରଭୁତିର ବିକାଶ ହେବ ଯାହା ସ୍ଥାନୀୟ ଲୋକମାନଙ୍କର ଆର୍ଥିକ ବିକାଶରେ ବେଶ ସହାୟକ ହୋଇପାରିବ । ତେଣୁ ଏହି କ୍ଷେତ୍ରରେ ଆଉ ଅଧିକ ବିଳମ୍ବ ନକରି ତୁରନ୍ତ ୬ ସିଟ, ୧୨ ସିଟ ବିଶିଷ୍ଟ ଛୋଟଛୋଟ ବିମାନ ସେବା ଆରମ୍ଭ କରନ୍ତୁ ବୋଲି ଶ୍ରୀ ନାଇଡୁ ଦାବୀ କରିଛନ୍ତି । ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ଠିକ୍ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଘରୋଇ ବିମାନସେବା ସଂସ୍ଥା ମାନଙ୍କୁ ନେଇ ପଶ୍ଚିମ ଓଡିଶାର ଝାରସୁଗୁଡାରେ ଘରୋଇ ଓ ରାଜ୍ୟ ବାହାରକୁ ମଧ୍ୟ ବିମାନସେବା ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ହେଲେ ଦୀର୍ଘଦିନରୁ ଦକ୍ଷିଣ ଓଡିଶା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ସମାନ ସୁବିଧା କାହିଁକି ନୁହଁ ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟର ଯୁଗ୍ମ ସଚିବ ଇତିମଧ୍ୟରେ ଏ ପ୍ରସଂଗରେ ସମୀକ୍ଷା କରି ଜମିଅଧିଗ୍ରହଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଅଟକି ରହିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ଏ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଅଟକି ରହିଥିବା କାର୍ଯ୍ୟ କେଉଁଠି ଓ କିଭଳି ବିନା ବାଧାରେ ଆଗକୁ ବଢିବ ସେନେଇ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ତଦାରଖ କରନ୍ତୁ ବୋଲି ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବରୁ ଶ୍ରୀ ନାଇଡୁ ଏ ପ୍ରସଂଗରେ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ରଙ୍କ ସହ ଏକାଧିକବାର ଆଲୋଚନା କରିଥିଲେ ।

Leave A Reply

Your email address will not be published.