ସୁବର୍ଣ୍ଣପୁରରେ ‘ଗାନ୍ଧୀଙ୍କ ଓଡ଼ିଶା’ ନାଟକର କଳାକାରମାନଙ୍କ ବଂଧୁମିଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ସଂଧ୍ୟାରେ ସୁବର୍ଣ୍ଣପୁରସ୍ଥ ଡାକ୍ତରଖାନା କଲୋନୀ ପ୍ରାଙ୍ଗଣରେ ଅଭିନେତା କ୍ଷୀରୋଦ ବିହାରୀ ବିଶ୍ବାଳ, ଅବିନାଶ ହୋତା ଓ ଦେବାଶିଷ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ “ଗାନ୍ଧୀଙ୍କ ଓଡ଼ିଶା” ନାଟକର କଳାକାରମାନଂକର ଏକ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ନାଟ୍ୟ ନିର୍ଦେଶକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ନାଟ୍ୟ ନିର୍ଦେଶକ ଲକ୍ଷ୍ମଣ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତାଂକ ଦ୍ବାରା ନିର୍ଦେଶିତ ବଉଦ ଜିଲ୍ଲାର ଗାନ୍ଧୀଙ୍କ ଓଡ଼ିଶା ନାଟକର ଅଭିଜ୍ଞତା ବଖାଣିବା ସହିତ ସାଧନା ଓ ସହନଶୀଳତା ହିଁ ଜଣେ କଳାକାରର ଆଭୂଷଣ ବୋଲି ବକ୍ତବ୍ୟ ରଖିଥିଲେ । ଏଇ ମିଳନ ପର୍ବରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଦସ୍ୟ ଶାଶ୍ବତ କୁମାର ତ୍ରିପାଠୀ, ବରିଷ୍ଠ ଅଭିନେତା ରମେଶ ପ୍ରସାଦ ନାୟକ, ସଂଗୀତ ନିର୍ଦେଶକ ବିକାଶ ମିଶ୍ର ଓ ନାଟ୍ୟ ନିର୍ଦେଶକ ଅବକାଶ ମିଶ୍ର ଯୋଗଦେଇ ନାଟକ ସଂପର୍କରେ ମତ ପ୍ରଦାନ କରିଥିଲେ । ନାଟକ ଅଭ୍ୟାସ ଓ ମଂଚାୟନ ଦିନର ସ୍ମରଣୀୟ ମୁହୂର୍ତଗୁଡ଼ିକୁ ସ୍ମରଣ କରି ନାଟ୍ୟକର୍ମୀବୃନ୍ଦ ନିଜସ୍ବ ମତାମତ ରଖିଥିଲେ । ନାଟ୍ୟକର୍ମୀମାନଂକ ଅଭିନୟକୁ ଭୂୟସୀ ପ୍ରଶଂସା କରି ଅତିଥିମାନେ କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ସଭାପତୀୟ ବକ୍ତବ୍ୟରେ ଡ.ମିଶ୍ର ସମସ୍ତ ନାଟ୍ୟକର୍ମୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଐତିହାସିକ ପଦକ୍ଷେପକୁ ପ୍ରଶଂସା କରି ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଓ ଜିଲ୍ଲା ସଂସ୍କୃତି ବିଭାଗଙ୍କ ଅକୁଣ୍ଠିତ ସାହାଯ୍ୟ ସହଯୋଗ ଅବିସ୍ମରଣୀୟ ବୋଲି ମତ ପ୍ରଦାନ କରିଥିଲେ । ଶେଷରେ ଅଭିନେତା ଶିବରାଜ କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.