oom

ବାନ୍ଧନଘୋର ଗ୍ରାମରେ ପୁଷ୍ୟାଭିଷେକ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ବିଜେ ପ୍ରଭୁ ଶ୍ରୀରାମଙ୍କ ପୁଷ୍ୟାଭିଷେକ ଉତ୍ସବ ତିନି ଦିନ ବ୍ୟାପି ମହାସମାରୋହ ତଥା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ୨୬.୦୧.୨୦୨୧ ଦିନ ଠାରୁ ରାମାୟଣ ପାରାୟଣ ଆରମ୍ଭ ହୋଇ ପରଦିନ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ଚଳନ୍ତି ପ୍ରତିମା ରଥାରୁଢ ପୂର୍ବକ କୀର୍ତ୍ତନ, ଘଣ୍ଟବାଦ୍ୟ ତାଳେ ତାଳେ ମନ୍ଦିରରୁ ବାହାରି ନନ୍ଦିଗ୍ରାମ ପରିକଳ୍ପିତ ଗ୍ରାମସ୍ଥ ସୁବଳ ଗୁରୁ ହାଣ୍ଡିଙ୍କ ବାସଭବନରେ ପହଂଚିଥିଲେ । ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ପୃଷ୍ଠପୋଷକ ମଳୟ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ତଥା ସୁପରିଚିତ ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ଶାଶ୍ୱତ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଭରତ ଭୂମିକାରେ ଅବତୀର୍ଣ୍ଣ ଗୁରୁଶ୍ରୀ ସୁବଳ ଗୁରୁହାଣ୍ଡିଙ୍କ ରଚିତ ଭଜନ ପୁସ୍ତିକା ତଥା ଭଜନ କ୍ୟାସେଟର ଲୋକାର୍ପଣ କରିଥିଲେ । ଏହି ଅବସରରେ କବି ସଞ୍ଜୟ ତ୍ରିପାଠୀଙ୍କ ରଚିତ ଓଡିଆ ତଥା ଆଞ୍ଚଳିକ ଗୀତର ଭଜନ କ୍ୟାସେଟ ଉନ୍ମୋଚିତ ହୋଇଥିଲା । ସଙ୍ଗୀତ ସାହିତ୍ୟ ପ୍ରତି ସମର୍ପିତ ଏ ଅଞ୍ଚଳର ସାଧକ ଗୁରୁ ତ୍ରିଲୋଚନ ମିଶ୍ର, ନାରାୟଣ ବିଶି, କୀର୍ତ୍ତନ ଗାୟକ ସଂକୀର୍ତ୍ତନ ବାଗ, ବିଶିକେଶନ ମିଶ୍ର, ରାଜକିଶୋର ବଘାର ପ୍ରମୁଖଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ଦିର ପରିଚାଳନା କମିଟୀ ତରଫରୁ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ପାଟଣାଗୌରବ ଗୁରୁ ସ୍ୱର୍ଗତ ଦୀଲେଶ୍ୱର ତ୍ରିପାଠୀଙ୍କ ସ୍ମୃତିରେ ଅଙ୍ଗ ବସ୍ତ୍ର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ପରେ ପରେ ଭଜନ ସନ୍ଧ୍ୟା ଓ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା । ସାଂସ୍କୃତିକ ସଭା ତଥା ଭଜନ ସନ୍ଧ୍ୟାକୁ କବି ସଞ୍ଜୟ ତ୍ରିପାଠୀ ସଂଯୋଜନା ତଥା ଉପସ୍ଥାପନା କରିଥିଲେ । ପୌଷ ପୂର୍ଣ୍ଣୀମା ସକାଳରୁ ଆଳତୀ, ହୁମ ପରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ନନ୍ଦିଗ୍ରାମରୁ ସଂକୀତ୍ତୀନ ଓ ସମ୍ପ୍ରଦାର ତାଳେ ତାଳେ ଗ୍ରାମ ପରିକ୍ରମା କରି ମନ୍ଦିରରେ ପହଞ୍ଚିବା ପରେ ସ୍ନାନ ଅଭିଷେକ କର୍ମ ସହ ସିଂହାସନରେ ବିଜେ କରିଥିଲେ ।

ଏକ ନିଆରା ପରମ୍ପରାର ଆରମ୍ଭ ସହ ବାନ୍ଧନଘୋର ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଗ୍ରାମବାସୀ ଆମିଷ ବର୍ଜନ ପୂର୍ବକ ପୌଷ୍ୟାଭିଷେକ ପର୍ବରେ ଦ୍ୱିତୀୟ ବର୍ଷ ପାଇଁ ସାମିଲ ହେବା ସମାଜ ପାଇଁ ପ୍ରେରଣାର ବିଷୟ । ଏ ସମସ୍ତ କାର୍ୟ୍ୟକ୍ରମରେ ଶ୍ରୀରାମ ସେବା ସମିତିର ସଭାପତି ମନ୍ମୟ ତ୍ରିପାଠୀ, ବାନ୍ଧନଘୋର ମହିଳା କୀର୍ତ୍ତନ ଦଳ, ମାହେଶ୍ୱରୀ କୀର୍ତ୍ତନ ଦଳ, ଭଗବତ ମଣ୍ଡଳୀ ସଂକୀର୍ତ୍ତନ, ମାଗୁରବେଡା ସମ୍ପ୍ରଦାଦଳ, ସୁବଳ ଗୁରୁହାଣ୍ଡିଙ୍କ ସପରିବାର, ଶ୍ରୀମୟ ତ୍ରିପାଠୀ, ଗୋପାଳ ପ୍ରଧାନ, ଦଶ ବାଗ, ସୁରେଶ ବୁଡେକ, ପ୍ରଦୀପ ମେର୍ଲି, ଯୁଗିନ୍ଦ୍ର ବିଶ୍ୱାଳ, ବୃଷଭ ସାହୁ, ଗଣ୍ଡାରାମ ଗହୀର ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ନିକଟସ୍ଥ ମାଗୁରବେଡା, ବ୍ରାହ୍ମଣୀଡୁଙ୍ଗୁରି, କୁଟୁମଡୋଲା, ସିଆଲବାହାଲି ଆଦି ଗ୍ରାମର ଶହ ଶହ ଭକ୍ତଙ୍କର ସମାଗମ ହୋଇଥିଲା ।

jittmm
Leave A Reply

Your email address will not be published.