ଜାତୀୟ ବାଳିକା ଦିବସ ଅବସରରେ ଘାସିରାମ ପଣ୍ଡା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଠାରେ ଜାତୀୟ ବାଳିକା ଦିବସ ପାଳନ ଅବସରରେ ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରୁଗୁଡିପାଲିକୁ ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ପରିଚିତ କରେଇବାରେ ତାଙ୍କର ଅବଦାନ ପାଇଁ ଗ୍ରାମବାସୀଙ୍କ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଏକ ସାମାଜିକ ଆନ୍ଦୋଲନର ରୂପ ନେଇଥିବା ବାଲ୍ୟ ବିବାହ ମୁକ୍ତ ଗ୍ରାମ ଅଭିଯାନ ବର୍ଷେତଳେ ଏହି ଘାସିରାମ ପଣ୍ଡାଙ୍କ ଦ୍ଵାରା ଓ ଅଙ୍ଗନୱାଡି କର୍ମି ଗୀତାଞଳି ରଣାଙ୍କ ସହାୟତାରେ ସୁବର୍ଣ୍ଣପୁର ଜିଲ୍ଲାର ରୁଗୁଡିପାଲି ଗ୍ରାମରୁ ଆରମ୍ଭ ହୋଇଥିଲା । ପରେ ବିଭିନ୍ନ ଜିଲ୍ଲାରେ ଗ୍ରାମଗୁଡିକୁ ବାଲ୍ୟ ବିବାହ ମୁକ୍ତ କରାଯାଇ ଏହି ପ୍ରକ୍ରିୟାର ଏବେ ଶୁଭାରମ୍ଭ କରାଯାଇଛି । ୨୦୧୯ ମସିହାରେ ରୁଗୁଡି ପାଲିରେ ହେବାକୁ ଥିବା ସମସ୍ତ ବାଲ୍ୟ ବିବାହକୁ ସଫଳତାର ସହ ବନ୍ଦ କରାଯାଇ ପାରିଥିଲା । ଫଳସ୍ୱରୂପ ୬ ଜାନୁୟାରୀ, ୨୦୨୦ ଲେଖକଙ୍କ ଉପସ୍ଥିତିରେ ସୁବର୍ଣ୍ଣପୁର ଜିଲାପାଳ ଶ୍ରୀମତୀ ମୋନିଷା ଚାଟାର୍ଜୀଙ୍କ ଦ୍ଵାରା ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ରୁଗୁଡିପାଲି ଘୋଷିତ ହୋଇଥିଲା । ରୁଗୁଡିପାଲିର ଏହି ପ୍ରୟାସକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧକାରୀ ଚତୁର୍ଭୂଜ ଦାଶ, ଏକ୍ସନ ଏଡର ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ, ଆଇନଜିବୀ ସ୍ୱାଧୀନ ମେହେର, ମୟୁରଉଡାନ ଗ୍ରାମପଞ୍ଚାୟତର ସରପଂଚ ଯୋଗଦେଇ ଥିବା ବେଳେ ଶ୍ରୀମତୀ ଗୀତାଞଳି ରଣା ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.