ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡିଆଢିପା ଧାନ ମଣ୍ଡିଠାରେ ମାଣ୍ଡିଆଢିପା ପଞ୍ଚାୟତ ସ୍ତରୀୟ ହାଡୁ ସାହୁଙ୍କର ସଭାପତିତ୍ୱରେ ଏକ କୃଷକ ସଂଗଠନର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜବୋଡାସମ୍ବର କୃଷକ ସଂଗଠନ ପାଇକମାଳ ବ୍ଲକ ସଭାପତି ବିଶ୍ୱନାଥ ରଣା, ବାଳକୃଷ୍ଣ ବନଛୋର, ରାହାସ ବିହାରି ସାହୁ ଉପସ୍ଥିତ ରହି ଆଲୋଚନାକୁ ଆଗେଇ ନେଇ ଥିଲେ । ପଞ୍ଚାୟତ ୨୦୨୧ ବର୍ଷର ଆୟ ବ୍ୟୟ ହିସାବ ପଞ୍ଚାୟତ ସ୍ତରୀୟ କମିଟି ଗଠନ କୃଷକ ଭବନ ନିର୍ମାଣ ଅନ୍ୟ ପଞ୍ଚାୟତ ଗୁଡିକର ବୀମା ରାଶି ମିଳିବା ୨୦୨୧ ବର୍ଷର ମରୁଡି ସହାୟତା ଇନପୁଟ ସବସିଡି, ମନବୋଧପାଲି ଠାରେ ଅଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ, କୃଷି ଋଣ ଛାଡ କରିବା ପାଇଁ ସଭାରେ ଆଲୋଚନା ହୋଇଥିଲା । ପଞ୍ଚାୟତ ସ୍ତରୀୟ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବରେ ଯୁଧିଷ୍ଠିର ସାହୁ, ଉପ ସଭାପତି ହାଡ଼ୁ ସାହୁ, ସଂପାଦକ କୌତୁକ ସାହୁ, କୋଷାଧ୍ୟକ୍ଷ ମୋତିଲାଲ ସାହୁ, ସୁକାନ୍ତ ସାଧୁଆ, ସତ୍ୟାନନ୍ଦ ସାହୁ, ରାଜୀବ ସାହୁ, ପଞ୍ଚାନନ ମାହାର, ଅନିଲ ରଣା, ରାମଧନ ସାହୁ ମନୋନୀତ ହୋଇଥିଲେ ଏବଂ ସଭାରେ ଶତାଧିକ କୃଷକ ଉପସ୍ଥିତ ରହି ଆଲୋଚନାକୁ ଆଗେଇ ନେଇ ସରକାରଙ୍କ ଚାଷୀ ମରଣା ନୀତି ଗୁଡିକୁ ନିନ୍ଦା କରାଯାଇଥିଲା । ଏଥିରେ ନୂଆପଡା ଜିଲ୍ଲାର ଚାଷୀ ଭାଇ ଯୋଗଦାନ କରି ତାଙ୍କ ଜିଲ୍ଲାରେ କୃଷକ ସଂଗଠନ କରିବା ପାଇଁ ପାଇକମାଳ ବ୍ଲକ କମିଟିକୁ ନିମନ୍ତ୍ରଣ କରିଥିଲେ । ବଇଦପାଲିଠାରୁ ମାଣ୍ଡିଆଢିପା ପଞ୍ଚାୟତର ଚାଷୀ କେନାଲ କାମ ସଫା କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା । ସଭା ଶେଷରେ ମାଣ୍ଡିଆଢିପା ପଞ୍ଚାୟତର ପ୍ରତି ଗ୍ରାମରୁ ଆସିଥିବା ସମସ୍ତ କୃଷକମାନଙ୍କୁ ରାହାସ ବିହାରି ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
Next Post