ଉଜ୍ୱଳ ଭାରତ, ଉଜ୍ୱଳ ଭବିଷ୍ୟତ ପାୱାର -୨୦୪୭ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବରଗଡ଼ ଜିଲ୍ଲାରେ “ଉଜ୍ଜଳ ଭାରତ, ଉଜ୍ୱଳ ଭବିଷ୍ୟତ ପାୱାର -୨୦୪୭” ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧାଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପାଳନର ନୋଡାଲ ଅଧିକାରୀ ଏଜିଏମ୍‌ ଏନ୍‌ଟିପିସି ବିଦ୍ୟାଭୁଷଣ ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ, ବରଗଡ ପୌର ପରିଷଦ, ନାରାୟଣ ଦଣ୍ଡସେନା ଜିଲ୍ଲା ସଂସ୍କୃତି ଅଧିକାରୀ, ପ୍ରଭୃତି ଯୋଗଦେଇ ଉଜ୍ୱଳ ଭାରତ, ଉଜ୍ୱଳ ଭବିଷ୍ୟତ ପାୱାର ଉତ୍ସବର ସଫଳ ରୂପାୟନ ଦିଗରେ ବିଶଦ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଉତ୍ସବର ଉଦ୍ଦେଶ୍ୟ ଓ଼ ଆଭିମୁଖ୍ୟ ଉପରେ ଆଲୋକପାତ କରି ବିଜୁଳି ଶକ୍ତି ସଂରକ୍ଷଣ, ଉପଭୋକ୍ତା ଅଧିକାର, ପ୍ରତ୍ୟେକ ଗୃହକୁ ବିଦ୍ୟୁତିକରଣ, ପ୍ରିପେଡ଼ ସ୍ମାର୍ଟ ମିଟର, ଭବିଷ୍ୟତ ପାଇଁ ଶକ୍ତି ସଂଚୟ ଓ ଏହାର ଅସରନ୍ତି ଉତ୍ସ ଉପରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ସୂଚନା ଦେଇଥିଲେ । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ଶକ୍ତି ବିଭାଗ ଅଧିନସ୍ଥ ବିଜୁ ଗ୍ରାମ ଜ୍ୟୋତି ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା, ଦିନ ଦୟାଲ ଗ୍ରାମୀଣ ଜ୍ୟୋତି ଯୋଜନା, ଛାତ ଉପରେ ସୌର ଶକ୍ତି ସଂରକ୍ଷଣ ଯୋଜନା, ସୌଭାଗ୍ୟ ଯୋଜନା ଆଦିର ଉପଯୋଗିତା ସମ୍ପର୍କରେ ଉପଭୋକ୍ତାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ । ବରଗଡ ଜିଲ୍ଲାରେ ଏହି ସମାରୋହ ଆଗାମୀ ଜୁଲାଇ ୨୭ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଏବଂ ୨୯ ତାରିଖରେ ଅଂଚଳ କଲେଜ ପଦ୍ମପୁରଠାରେ ଦିନ ୧୧ଟାରେ ଅନୁଷ୍ଠିତ ହେବ ।
ଉତ୍ସବରେ ପ୍ରଧାନମନ୍ତ୍ରୀ ସିଧା ପ୍ରସାରଣ ମାଧ୍ୟମରେ ଉପସ୍ଥିତ ରହି ଉପଭୋକ୍ତାମାନଙ୍କ ସହିତ ମତ ବିନିମୟ କରିବେ ବୋଲି ସୂଚନାରୁ ପ୍ରକାଶ । ସମାରୋହରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିଜୁଳି ଶକ୍ତି ବ୍ୟବହାର ଓ ସଂଚୟ ଉପରେ ସଚେତନାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଉତ୍ସବରେ ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଟିପିଡବ୍ଲୁସିଏଲ୍‌ର ଅଧିକାରୀ, ଓପିଟିସିଏଲ୍‌ର ଅଧିକାରୀ, କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.