ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ବାନପ୍ରସ୍ଥ ଜରା ନିବାସ, ଚକରକେନ୍ଦ ଛକ ବରଗଡ଼ ଠାରେ ଆଶ୍ରମ ଉପଦେଷ୍ଟା କମିଟିର ବୈଠକ ଶ୍ରୀ ପ୍ରକାଶ ଚନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଶ୍ରମ ଗୃହ ନିର୍ମାଣ ଲାଗି ଜମି ସମ୍ବନ୍ଧରେ ଆଲୋଚନା ହୋଇଥିଲା ।
ବର୍ତ୍ତମାନ ସମାଜରେ ଵରିଷ୍ଠ ନାଗରିକମାନେ ପରିବାର ତଥା ଆତ୍ମୀୟ ସ୍ୱଜନଙ୍କ ଠାରୁ ବିଭିନ୍ନ ପ୍ରକାରର ନିର୍ୟ୍ୟାତନା ପାଉଥିବା ଖବର ଦେଖିବାକୁ ମିଳୁଛି ଏବଂ ଦିନକୁ ଦିନ ଏହା ବଢ଼ିବାକୁ ଲାଗିଛି । ଏହା ପରିବାର ଓ ସମାଜ ପାଇଁ କ୍ଷତିକାରକ ହେଉଛି । ଏହିଭଳି ଅବସ୍ଥା ଆଗକୁ ଭୟଙ୍କର ହେବାର ସମ୍ଭାବନା ରହିଛି । ଏହି କାରଣ ହେତୁ ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ପରିଚାଳିତ ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ତରଫରୁ ଜରାନିବାସ ଉଚ୍ଛେଦ ଅଭିଯାନ କାର୍ୟ୍ୟକ୍ରମ ଉପରେ ଆଲୋଚନା ହୋଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳାର ଆୟୋଜନ କରିବା ଓ ପରିବାରରେ ବୟୋଜ୍ୟେଷ୍ଠ ମାନଙ୍କ ସମସ୍ୟା ଓ ନିରାକରଣ ଉପରେ ଆଲୋଚନା ହୋଇ ଏକ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସେହି ଗ୍ରାମରୁ କାର୍ୟ୍ୟକ୍ରମ ଆରମ୍ଭ କରିବା ବିଷୟ ଉପରେ ଆଲୋଚନା ହୋଇ ପ୍ରସ୍ତାବ ନିଆଯାଇଛି । ଏହି ସଭାରେ ନରେନ୍ଦ୍ର ହୋତା, ଗିରିଜା ଶଙ୍କର ଆଚାର୍ୟ୍ୟ, ବିଷ୍ଣୁ ଚରଣ ଦାଶ, ପୂର୍ଣ୍ଣ ଚନ୍ଦ୍ର ଆଚାର୍ୟ୍ୟ, ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ଶ୍ରୀମତୀ ସୁରେଶ୍ଵରୀ ପଣ୍ଡା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।
Prev Post