ହରିଶଙ୍କରରେ ମନ୍ଦିର ସବ୍ କମିଟି ବୈଠକ : ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କରଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟିର ବୈଠକ ଗୁରୁବାର କମିଟି ସଭାପତି ବିପ୍ର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ନୃସିଂହଚତୁର୍ଦ୍ଦଶୀ ମେଳା, ମନ୍ଦିର ପରିଚାଳନାର ଅବ୍ୟବସ୍ଥା, ଭୋଗ ଉପରେ ଶ୍ରଦ୍ଧାଳୁମାନଙ୍କ ଅସନ୍ତୋଷ, ସ୍ୱତନ୍ତ୍ର ଟ୍ରଷ୍ଟ ବୋର୍ଡ ଗଠନ, ସବ କମିଟିକୁ ଉପଜିଲ୍ଲାପାଳଙ୍କ ଉପେକ୍ଷା, ସ୍ଥାନୀୟ ଲୋକଙ୍କ ମତାମତକୁ ଅଣଦେଖା, ପିଇବା ପାଣିର ଅବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ବୈଶାଖ ଚତୁର୍ଦ୍ଦଶୀ ମେଳାକୁ ଆଉ ମାସେ ଥିବା ବେଳେ ପ୍ରଶାସନ ତରଫରୁ ଆଖି ଦୃଶିଆ ତତ୍ପରତା ହେଉନଥିବାରୁ ସବ୍‌କମିଟି କ୍ଷୋଭ ପ୍ରକାଶ କରିଥିଲେ । ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ବୈଶାଖ ଚତୁର୍ଦ୍ଦଶୀ ମେଳା ବନ୍ଦ ଥିବା ବେଳେ ଏବେ କଟକଣା କୋହଳ ହୋଇଥିବାରୁ ଅନ୍ୟ ବର୍ଷ ଭଳି ବିଭିନ୍ନ ପ୍ରଜ୍ଞାପନ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ଆଶା ସଞ୍ଚାର ହୋଇଛି । ହେଲେ ପ୍ରଶାସନର ଅବହେଳା ମେଳାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ମନ୍ଦିରର ଅନ୍ନଭୋଗ, ନଡ଼ିଆ ଭୋଗ, ଚେକଗେଟ ସହିତ ବିଭିନ୍ନ ଟିକସ ଆଦି ଟେଣ୍ଡର ହେଉଥିବା ବେଳେ ଏବେ ଦେବୋତ୍ତର ବିଭାଗ ଚଲାଉଛନ୍ତି । ଅନ୍ନଭୋଗ ନିମ୍ନ ମାନର ଦିଆଯାଉଥିବାର ଶ୍ରଦ୍ଧାଳୁମାନେ ଅଭିଯୋଗ କରୁଥିବା ବେଳେ ମନ୍ଦିର ପରିସରରେ ବିଶୁଦ୍ଧ ପାନୀୟ ଜଳ ପିଇବାର ସୁବିଧା ନ ଥିବାରୁ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ସବ୍‌କମିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସ୍ୱତନ୍ତ୍ର ଟ୍ରଷ୍ଟ ବୋର୍ଡ ଗଠନ କରିବା ଉପରେ ଆଲୋଚନା କରିଥିଲେ । ସେହିପରି ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ସବ କମିଟିରେ ସାମିଲ ପାଇଁ ଆଲୋଚନା ହୋଇଥିଲା । ବୈଠକରେ ସୁଶୀଲ ଗୁରୁ, ଟେକେନ୍ଦ୍ର ଜାଲ, କ୍ଷମାନିଧି ଭୋଇ, ଅଭୟ ତ୍ରିପାଠୀ, ଜ୍ୟୋତିରଞ୍ଜନ ପଣ୍ଡା, ସଢାନନ ଭୋଇ, ଇନ୍ଦ୍ରମଣୀ ସାହୁ, ଶଶୀ ପୁଝାରୀ, ନରସିଂହ ପୁଝାରୀ, ଶତ୍ରୁଘନ ନାଏକ, ଗୋଲାପ ନିଆଲ, ଧରମସିଂ ଧରୁଆ, ଗଜରାଜ ନାଗ, ଜୟକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!