om academy

ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ପିଜି ଡ଼ିଗ୍ରୀ ଶ୍ରେଣୀ ଖୋଲିବାକୁ ଅନୁମୋଦନ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଭାବେ ବହୁବର୍ଷ ପୂର୍ବରୁ ମାନ୍ୟତା ମିଳିଥିବା ବେଳେ ଏଠାରେ ସ୍ନାତକୋତ୍ତର ଓଡ଼ିଆ ଓ ଇତିହାସ ବିଭାଗ ୧୯୯୩-୯୪ ଶିକ୍ଷାବର୍ଷରେ ସୀମିତ ସଂଖ୍ୟକ ସିଟରେ ଆରମ୍ଭ ହୋଇଥିଲା । ହେଲେ ଶିକ୍ଷାଦାନରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ଏହି କଲେଜରେ ଅନେକ ବିଭାଗ ଖୋଲିପାରିନଥିଲା । ଛାତ୍ର ସଂସଦ ତରଫରୁ ବହୁବାର ଦାବୀ ଆନ୍ଦୋଳନ ହୋଇ ଆସିଥିଲେ ମଧ୍ୟ ଦାବୀ ପୂରଣ ନ ହୋଇ ଅନେକ ବିକଳ୍ପ ଧାରାରେ ଏହି କଲେଜ ପରିଚାଳିତ ହୋଇ ଆସିଥିଲା । ତେବେ ଦୀର୍ଘବର୍ଷର ନୀରବତା ପରେ ଏବେ ନଅ ଗୋଟି ନୂତନ ଭାବେ ସ୍ନାତକୋତ୍ତର ଶ୍ରେଣୀ ପିଜି ବିଭାଗ ଖୋଲିବାକୁ ଅନୁମତି ମିଳିଲା । ଏହାକୁ ନେଇ ପୂର୍ବତନ ଛାତ୍ର ସଂସଦର ମହଲରେ ରାଜ୍ୟ ସରକାରଙ୍କୁ ଅନେକ ସ୍ୱାଗତ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଭାବରେ ନଅ ଗୋଟି ପିଜି ବିଭାଗ ଖୋଲିବାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଖୁସିର ମାହୋଲ ଦେଖାଯାଇଛି । ମହାବିଦ୍ୟାଳୟରେ ନୂତନ ଭାବରେ ଖୋଲାଯିବାକୁ ରହିଥିବା ବିଭାଗ ଗୁଡିକ ମଧ୍ୟରେ ବିଜ୍ଞାନ ବିଭାଗର ପାଞ୍ଚଟି ବିଭାଗ ଖୋଲାଯାଇଥିବା ବେଳେ ଏହି ସମସ୍ତ ବିଭାଗର ୧୬ଟି ଲେଖାଏଁ ସିଟ୍ ରହିଛି । ସେହିପରି ବାଣିଜ୍ୟ ବିଭାଗର ପିଜି ଖୋଲିବା ନିମନ୍ତେ ୩୨ଟି ସିଟ୍ ରହିଥିବା ବେଳେ କଳା ବିଭାଗରେ ଅର୍ଥନୀତି, ଇଂରାଜୀ ଏବଂ ରାଜନୀତି ବିଜ୍ଞାନ ବିଭାଗ ପାଇଁ ୩୨ଟି ଲେଖାଏଁ ସିଟ୍ ଅନୁମତି ଦିଆଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି । ପୂର୍ବରୁ ଇତିହାସ ବିଭାଗରେ ରହିଥିବା ୧୬ଟି ସିଟ୍‌କୁ ବୃଦ୍ଧି କରାଯାଇ ୩୨ଟି ସିଟ୍ କରାଯାଇଥିବା ବେଳେ ଓଡ଼ିଆ ବିଭାଗରେ ରହିଥିବା ୮ଟି ସିଟ୍‌କୁ ବୃଦ୍ଧି କରାଯାଇ ୩୨ଟି ସିଟ୍ କରାଯାଇଛି । ଏଭଳି ନଅ ଗୋଟି ନୂତନ ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ଖୋଲାଯିବାକୁ ଅନୁମତି ସହ ପୂର୍ବରୁ ରହିଥିବା ଦୁଇ ବିଭାଗର ସିଟ୍ ବୃଦ୍ଧି କରାଯିବାକୁ ଉଚ୍ଚଶିକ୍ଷା ଅନୁମତି ଦେଇଥିବା ନେଇ ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ, ସଂପାଦକ ସମୀର ଆଚାର୍ଯ୍ୟ, ଆଇନଜୀବୀ ପି.ଧର୍ମା ରେଡି, ଜିଲ୍ଲା ପରିଷଦର ସଦସ୍ୟ ତଥା ଛତ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡି, ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଏଲ୍.ଗୋପି, ପୂର୍ବତନ ସଭାପତି ଦେବେନ୍ଦ୍ର ନାଥ ସାହୁ, ସନ୍ତୋଷ କୁମାର ମିଶ୍ର, ହିମାଂଶୁ ଯାଦବଙ୍କ ସମେତ ବହୁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାମାନେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ ଏବଂ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ପିଜି ବିଭାଗ ଖୋଲିବାକୁ ବହୁବାର ପ୍ରଶାସନ ଠାରେ ଦାବୀ କରାଯାଇ ଆସୁଥିଲା ।

Leave A Reply

Your email address will not be published.