
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓକିଲ ସଂଘର ସଭାପତି ଆଇନଜିବୀ ଅନନ୍ତ ସାହୁଙ୍କ ୬୦ ବର୍ଷ ବୟସରେ ରବିବାର ସକାଳେ ପରଲୋକ ହୋଇଯାଇଛି । ଶ୍ରୀ ସାହୁ ସକାଳୁ ଅସୁସ୍ଥତା ଅନୁଭବ କରିବାରୁ ବଲାଙ୍ଗିରର ଏକ ଘରୋଇ କ୍ଲିନିକରେ ସ୍ଵାସ୍ଥ୍ୟ ଯାଞ୍ଚ କରିବା ପରେ ଡାକ୍ତର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହେବା ପାଇ କହିଥିଲେ କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ସାହୁଙ୍କ ପୁଅ ସୌମ୍ୟଶାନ୍ତ ସାହୁ ଓ ଝିଅ ସୌମ୍ୟାଶ୍ୱେତା ସାହୁ, ଜ୍ୱାଇଁ ମିହିର ସାହୁଙ୍କ ସହ ତାଙ୍କ ଧର୍ମ ପତ୍ନୀ ଶବ ଶଯ୍ୟାରେ ଉପସ୍ଥିତ ଥିଲେ । ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଭାବରେ ପରିଚିତ ରହିବା ସହ ଦେଓଗାଁର ଶିକ୍ଷା ଅନୁଷ୍ଠାନ, ସାମାଜିକ ସଂଗଠନ ସହ ଜଡ଼ିତ ରହିଥିଲେ । ତାଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ଦେଓଗାଁ କନ୍ଧପାଲି ସ୍ଥିତ ବାସଭବନରେ ପରିବାର ଲୋକଙ୍କ ସହ ବନ୍ଧୁ ବର୍ଗ ଶେଷ ଦର୍ଶନ କରିବା ପରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ, ଦେଓଗାଁ ବ୍ଲକ ଅଧକ୍ଷ ଦୟାନିଧି ଖମାରୀ, ବ୍ଲକ ବିଜେଡ଼ି ସଭାପତି ସୁଶୀଲ ଚାନ୍ଦ, ପୂର୍ବ ବ୍ଲକ ଅଧକ୍ଷ ଲକ୍ଷଣ ମେହେର, ବିଜେଡ଼ି ଯୁବ ସଭାପତି ଶୈଲେନ୍ଦ୍ର ସାହୁ, ଦେଓଗାଁ ବ୍ଲକ ଓକିଲ ସଂଘର କର୍ମକର୍ତ୍ତାଙ୍କ ସହ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ସୋନଗଡ଼ ନଦୀରେ ଶେଷ କୃତ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ପୁଅ ସୌମ୍ୟଶାନ୍ତ ମୁଖାଗ୍ନି ଦେଇଥିଲେ ।