ଫସଲ ବୀମା ରାଶି ଦାବୀରେ ଚାଷୀଙ୍କ ଆମରଣ ଅନଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫସଲ ବୀମା ରାଶି ହେକ୍ଟର ପିଛା ୫୦ ହଜାର ଟଙ୍କା ଦାବୀରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ଓ ଯୁରାବନ୍ଧ ଗ୍ରାମ ପଞ୍ଚାୟତର ଚାଷୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି । ପ୍ରକାଶଯୋଗ୍ୟ ଯେ, ଗତ ବର୍ଷ ସ୍ୱାଭାବିକ ଠାରୁ ଯଥେଷ୍ଠ କମ୍‌ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବିଭିନ୍ନ ଅଂଚଳରେ ଧାନ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିଲା । ଚାଷୀମାନେ ମରୁଡି ଜନିତ ଧାନର କ୍ଷତିପୁରଣ ପାଇଁ ପ୍ରିମିୟମ ପଇଠ କରି ବୀମା ଆବେଦନ କରିଥିଲେ । କିନ୍ତୁ ଆବଶ୍ୟକ ସମୟରେ ବୀମା ରାଶି ନପାଇବାରୁ ଗତ ୧୮ ସେପ୍ଟେମ୍ବରରେ ପ୍ରାୟ ୧୫୨ ଜଣ ଚାଷୀ ଉପରୋକ୍ତ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେ ସମୟରେ ତାଙ୍କୁ ବୁଝାଇ ସୁଝାଇ ଜିଲ୍ଲା କର୍ତ୍ତୃପକ୍ଷ ଧାରଣା ବନ୍ଦ କରିବା ପାଇଁ କହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପରିତାପର ବିଷୟ ବୋଲି ଚାଷୀମାନେ କହିଛନ୍ତି । ଆହୁରି ସରକାରୀ କ୍ରପ୍ସ କଟିଙ୍ଗ ରିପୋର୍ଟ ଅନୁସାରେ ହେକ୍ଟର ପିଛା ଷାଠିଏ ହଜାର ଟଙ୍କା ପାଇବା ପାଇଁ ହକ୍‌ଦାର ଥିବାବେଳେ କେଉଁ କାରଣରୁ ଓ କାହାର ସ୍ୱାର୍ଥରେ ଆମକୁ ଆମର ହକ୍‌ ପାଇବାରୁ ବଞ୍ଚିତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅନଶନକାରୀମାନେ । ତବେ ବେଲପଡା ଓ ଯୁରାବନ୍ଧ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ହେକ୍ଟର ପିଛା ପଚାଶ ହଜାର ଟଙ୍କା ବୀମା ରାଶି ପ୍ରଦାନ କରିବା ନେଇ ଘୋଷଣା ନକରାଯିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ । ଏହି ସମୟରେ ଯଦି କାହର ପ୍ରାଣହାନୀ ହୁଏ, ଖୋଦ୍‌ ଜିଲ୍ଲାପ୍ରଶାନ ଓ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସରକାରୀ କଳ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.