ଗୁଡଭେଲା ସମ୍ବାଦ ସାହିତ୍ୟ ଘର ପକ୍ଷରୁ “ବିଶ୍ୱ ତାପନର କାରଣ ଓ ନିରାକରଣ” ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ “ବିଶ୍ୱ ତାପନର କାରଣ ଓ ନିରାକରଣ” ଶୀର୍ଷକରେ ଆଲୋଚନାଚକ୍ର ରବିବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୁଷୁରାଠାରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ ଯୋଗଦେଇ ବିଶ୍ୱ ତାପନକୁ ନିୟନ୍ତ୍ରଣ କରିବାକୁ ହେଲେ ପର୍ଯ୍ୟାପ୍ତ ବନୀକରଣ କରିବାକୁ ହେବ ବୋଲି କହିଥିଲେ ଏବଂ ସମସ୍ତେ ରାସ୍ତାକଡରେ ମଞ୍ଜି ବୁଣିବାକୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ, ଆଲୋଚକ ତୁଳସୀ ଜୈନ ପରିବେଶ ଦୂଷିତକରଣ ନ ରୋକିଲେ ଜନ ସାଧାରଣ ଆଗକୁ ଭୟଙ୍କର ସ୍ଥିତିର ସାମ୍ନା କରିବେ ବୋଲି କହିଥିଲେ । ଡଃ ସୁଧାଂଶୁ ଭୂଷଣ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଶ୍ୱ ତାପନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡିଆ ଅଧ୍ୟାପକ ଡଃ ଜଳଧର ମାଝୀ ବିଶ୍ୱ ତାପନର କାରଣ ଓ ନିରାକରଣ ଉପରେ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଥିଲେ । ନିମନ୍ତ୍ରିତ ଅତିଥି ବରୁଣ ସାହୁ ବିଶ୍ୱ ତାପନ ବୃଦ୍ଧି ପାଇଁ ମାନବର ସୁଖ ସ୍ୱାଛନ୍ଦ୍ୟ ଜୀବନ ଶୈଳୀ ଦାୟୀ ବୋଲି ମତ ପୋଷଣ କରିଥିଲେ । ସମାଜସେବୀ ମନ୍ମଥ ପୁରୋହିତ ଓ ସାଧୁ ଚରଣ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ଶୁଭ୍ରାଂଶୁ ଭୂଷଣ ମେହେର ଓ କବି ସନ୍ତୋଷ କୁମାର ବେହେରାଙ୍କୁ ସମ୍ବାଦ ସାହିତ୍ୟ ଘର ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କବି ଦେବେନ୍ଦ୍ର ଭୋଇଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ କବୟିତ୍ରୀ ବବିତା ନାୟକ, ହୀରାବତୀ ସାହୁ, କନକଲତା ପଣ୍ଡା, ତୃପ୍ତିମୟୀ ତ୍ରିପାଠୀ, ହେମବନ୍ତୀ ଭାଟି, ଆଲିଶା ପୁରୋହିତ, ଲକ୍ଷ୍ମୀପ୍ରିୟା ଧରୁଆ ଓ କବି ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ନିତ୍ୟାନନ୍ଦ ଷଡଙ୍ଗୀ, ଦଶରଥ ସାମଲ୍, ଅବନୀ ସାହୁ, ରତି ରଞ୍ଜନ ଝାଙ୍କର, ଲିପୁନ୍ ସାହୁ, କୃଷ୍ଣେନ୍ଦୁ ହୋତା, ନେପାଳ ଘିଭେଲା, ଶୁଭ୍ରାଂଶୁ ଭୂଷଣ ମେହେର, ଦେବାଶିଷ ମହାପାତ୍ର, ଚୁଟୁ ନାଗ, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ, ପ୍ରହଲ୍ଲାଦ ଦଣ୍ଡସେନା, ଶ୍ୟାମ ସୁନ୍ଦର ପ୍ରଧାନ, ସୁବଲ କୁମାର ସାହୁ, ପ୍ରକାଶ ନାଗ, ଡଃ ସୁଧାଂଶୁ ମେହେର, ଆଶୁକବି ହେମନ୍ତ ଦାଶ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ କବୟିତ୍ରୀ ବବିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.