କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୁଲିସର ଆକ୍ରମଣ ଅଭିଯୋଗ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ମିଡ଼ିଆ କ୍ଲବ

ବରଗଡ଼, (ନିରୋଜ କୁମାର ପାଣୀ) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୁଲିସ କର୍ମୀଙ୍କ ଅମାନୁଷିକ ଭାବେ ଆକ୍ରମଣ, ଏହା ସହ ତାଙ୍କ ପରିଚୟ ପତ୍ର ଏବଂ ମୋବାଇଲ ଫୋନ ଛଡାଇ ନେବା ଚତୁର୍ଥ ସ୍ତମ୍ଭ ପ୍ରତି ବିପଦ ସଙ୍କେତ ସୃଷ୍ଟି କରୁଛି । ଏଥିପାଇଁ ସମସ୍ତେ ଏକ ହେବା ଜରୁରୀ ହୋଇ ପଡିଛି ବୋଲି ବରପାଲି ମିଡ଼ିଆ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ମେଘନାଦ ସାହୁ ଏକ ନିନ୍ଦା ପ୍ରସ୍ତାବ ଦେଇଛନ୍ତି ।ଏନେଇ ଏକ ଜରୁରୀ ବୈଠକ କରାଯାଇ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ବରପାଲି ଥାନା ଅଧିକାରୀଙ୍କ ଜରିଆରେ ସମ୍ପୃକ୍ତ ପୁଲିସ କର୍ମୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି । ବୈଠକରେ ମିଡ଼ିଆ କ୍ଲବ ସମ୍ପାଦକ ସୁବ୍ରତ ସାହୁଙ୍କ ସମେତ ସହ ସମ୍ପାଦକ ରାଜେନ୍ଦ୍ର ମେହେର, ଉପଦେଷ୍ଟା ଅଭୟ ପଟ୍ଟନାୟକ, ଧର୍ମରାଜ ସିଂ ବରିହା ଉପସ୍ଥିତ ରହି ଏଭଳି ଅଭାବନୀୟ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ପ୍ରକାଶ ଥାଉକି, ଧନୁଯାତ୍ରାର ଅନ୍ତିମ ଦିବସ ଅର୍ଥାତ ଜାନୁଆରୀ ୬ ତାରିଖ ସନ୍ଧ୍ୟା ସମୟରେ ବରଗଡ଼ର ଦୈନିକ ଖବରକାଗଜର ସାମ୍ବାଦିକ ବଦ୍ରି ପ୍ରସାଦ ସାହୁ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ କଚେରୀ ଛକ ଠାରେ ପୁଲିସ ଅଟକାଇ ଦେଇଥିଲା । ତାଙ୍କ ସମସ୍ତ ପ୍ରମାଣ ପତ୍ର ଓ ବାଇକ ପାସ ରହିଥିବା ସତ୍ତ୍ୱେ ତାଙ୍କୁ ଭିତକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା । ଏନେଇ ସେ ପ୍ରତିବାଦ କରିବାରୁ ତାଙ୍କ ମୋବାଇଲ ଓ ଆଡି କାର୍ଡ଼ ପୁଲିସ ନେଇଯିବା ସହ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୁଣ୍ଡରେ ଓ ଆଖିରେ ଗଭୀର ଆଘାତ ଲାଗିଛି ।

Leave A Reply

Your email address will not be published.

error: Content is protected !!