ସୁବର୍ଣ୍ଣପୁରରେ ଲଗାଣ ବର୍ଷା : ଅବସ୍ଥା ଶୋଚନୀୟ

ସୋନପୁର, (ପ୍ରଭୁଦତ୍ତ ରଥ) : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ୨ ଦିନ ଧରି କ୍ରମାଗତ ବର୍ଷା ଯୋଗୁଁ ସମସ୍ତ ନାଳ ଓ ସହରର ଅନେକ ମୁଖ୍ୟ ରାସ୍ତା ବର୍ଷା ପାଣିରେ ପୁରିଉଠି ନାହିଁନଥିବା ପରିସ୍ଥିତି ସୃଷ୍ଟି କରିଛି । ସହରର ୱାର୍ଡ଼ ନଂ-୧୦ ଅନ୍ତର୍ଗତ ପଟାଭାଡି ଅଞ୍ଚଳରେ ବର୍ଷା ପାଣି ଜମି ବିଭିନ୍ନ ଘରମାନଙ୍କରେ ପଶିଯାଇ ବ୍ୟାପକ କ୍ଷୟ କ୍ଷତି ଘଟାଇଛି ।


ସହରର ପଟାଭାଡି ବସ୍ତିର ୩୦ ରୁ ୪୦ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଗତକାଲି ରାତିରୁ ଘରେ ଢୁକିଥିବା ପାଣି ଯୋଗୁଁ ଲୋକେ ହୋଇ ପଡିଛନ୍ତି ଅସହାୟ । ଖବର ପାଇ ଆଜି ସକାଳୁ ଦମକଳ ବାହିନୀ ଘରୁ ପାଣି ନିଷ୍କାସନରେ ଲାଗି ପଡିଛି । ରାସ୍ତା ତିଆରି ପାଇଁ ଡ୍ରେନକୁ ପୋତି ଦେଇଥିବାରୁ ଏଇ ଅଭାବିତ ସମସ୍ୟା ହୋଇଥିବା ପ୍ରଭାବିତ ଲୋକେ ଅଭିଯୋଗ ଆଣିଛନ୍ତି ।
କେବଳ ପଟାଭାଡି ବସ୍ତିରେ ୩୦ ରୁ ୪୦ ପରିବାର ଘରେ ପାଣି ପସି ଲୋକେ ଅସୁବିଧାରେ ରହିଛନ୍ତି ତାନୁହେଁ ସହରର ଅନେକ ରାସ୍ତାରେ ବିଭିନ୍ନ ବସ୍ତିର ଉଦବୃତ୍ତ ବନ୍ୟାପାଣି ଯୋଗୁଁ ରାସ୍ତାଘାଟରେ ଯିବା ଆସିବାରେ ବି ବାଧା ଉପୁଜିଛି । ଏହା ସହରର ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା ଓ ପୌର ପରିଷଦର ବିଫଳତାକୁ ପଦାରେ ପକେଇଛି ।
ଦୁଇ ଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ସହରର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଆଗକୁ ବର୍ଷା ଲାଗି ରହିଲେ ଅବସ୍ଥା ଯେ ଅସମ୍ଭାଳ ହେବା ନିଶ୍ଚିତ ତାହା ଜଳଜଳ ଦିଶୁଚି ।

Leave A Reply

Your email address will not be published.