ommm
jittmm

ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୁଣ୍ୟଶ୍ଲୋକା ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା, ରାଉରକେଲାର ଚ୍ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵିଦ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଟୋଲି ସଂଯୋଜକ ସରୋଜ ଦାସଙ୍କ ସଂଯୋଜନା ଓ ରାଜ୍ୟ ସ୍ତରୀୟ ଟୋଳି ସଦସ୍ୟା ଲତିକା ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ମାନ୍ୟବର ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀମତୀ ପଟ୍ଟନାୟକ ତାଙ୍କ ସ୍ଵାଗତ ଓ ପ୍ରାରମ୍ଭିକ ଭାଷଣରେ ଆଜିର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ଅହଲ୍ୟା ବାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଅହଲ୍ୟା ବାଇଙ୍କ ତ୍ୟାଗ, ହିନ୍ଦୁ ସଂସ୍କୃତି, ବୈଦିକ ରୀତି ପ୍ରତିତାଙ୍କ ଅବଦାନ, ସରାଳତା, ଚରିତ୍ରବତ୍ତା, ଧର୍ମ ନିଷ୍ଠା ଏବଂ ରାଷ୍ଟ୍ରୀୟ ସ୍ୱାଭିମାନ ଓ ନାରୀମାନଙ୍କ ସଶକ୍ତି କରଣ ଆଦି ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ତଥା ରାଷ୍ଟ୍ରୀୟ ସ୍ଵୟ ସେବକ ସଂଘ, ପଶ୍ଚିମ ପ୍ରାନ୍ତର ସରସଂଚାଳକ ଡ. ସନାତନ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ମହାରାଣୀ ଅହଲ୍ୟା ବାଇ ଅଷ୍ଟାଦଶ ଶତାବ୍ଦୀରେ ସେ ଏକ ମାତ୍ର ଶାସିକା ଥିଲେ, ଯାହାକୁ ପ୍ରଜାମାନେ ଦେବୀ ସ୍ୱରୂପା ସ୍ୱୀକାର କରୁଥିଲେ । ସେ ପିଲାଦିନୁ ଶିବଙ୍କର ଉପାସକ ଥିଲେ । ତାଙ୍କୁ ଲୋକମାତା କୁହାଯାଉଥିଲା । ସେ ସମଗ୍ର ଦେଶରେ ଏକ ଶହରୁ ଅଧିକ ବିଶାଳ ମନ୍ଦିର ଗୁଡ଼ିକର ପୁନରୁଦ୍ଧାର କରି ସେ ପୁଣ୍ୟଶ୍ଲୋକା ରୂପେ ଖ୍ୟାତି ଅର୍ଜନ କରିଥିଲେ । ସେ ବିଶେଷ କରି ପାଠଶାଳା, ଧର୍ମଶାଳା ଆଦି ନିର୍ମାଣ କରିଥିଲେ । ସେ ସତୀପ୍ରଥାକୁ ଉଛେଦ କରି ଯୌତୁକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିଥିଲେ । ୧୭୫୪ ମସିହାରେ ପତି ଖଣ୍ଡେ ରାଓଙ୍କର ରାଜସ୍ଥାନର କୁମ୍ଭେରୀ ଯୁଦ୍ଧରେ ମୃତ୍ୟୁ ପରେ ପରେ ଶଶୁର ମହ୍ଲାର ରାଓଙ୍କର ଦେହାନ୍ତ, ୨୨ ବର୍ଷରେ ପୁତ୍ର ମାଲେ ରାଓଙ୍କ ଦେହାନ୍ତ ଅହଲ୍ୟା ବାଇଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଥିଲେ ମଧ୍ୟ, ଦୃଢ଼ ମନା ମହାରାଣୀ ଏହାର ଠିକ୍ ପରେ ପରେ ସମସ୍ତ କଷ୍ଟକୁ ନିଜ ଭିତରେ ଚାପି ରଖି ନିରନ୍ତର ଭାବେ ୨୮ ବର୍ଷ ସଫଳତାର ସହ ରାଜ୍ୟ ଶାସନ କରିଥିଲେ । ସେ ହୃଦୟରେ ଯେତିକି କୋମଳ ଥିଲେ ଶାସନରେ ସେତିକି କଠୋର ଥିଲେ । ସେ ଜନ କଲ୍ୟାଣ ସହିତ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ଦୃଢ଼ ପ୍ରୟାସି ଥିଲେ । ଭାରତ ଇତିହାସରେ ନିଜର ରାଜନୀତି ଓ ରଣନୀତିର ଉତ୍ତମ ଭାବେ ପରିପ୍ରକାଶ ଓ ପ୍ରତିପାଦନ କରି ସେ ପ୍ରକୃତରେ ରାଷ୍ଟ୍ରମାତାର ପଦବୀ ଧାରଣ କରିଛନ୍ତି । ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଓ ପୂର୍ବତନ ବିଧାୟିକା ପାର୍ଥି ସେବତୀ ନାୟକ ରାଜମାତା ଅହଲ୍ୟା ବାଇଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶିବଙ୍କ ବନ୍ଦନା ଓ ଭାରତ ମାତାଙ୍କ ବନ୍ଦନାକୁ ସଙ୍ଗୀତ ଓ ନୃତ୍ୟ ସହିତ ପରିବେଷଣ କରିଥିଲେ ଆୟୁଷି ପଣ୍ଡା । ସାଧନା ଗୃପ ତରଫରୁ ସମ୍ବଲପୁରୀ, ଶାଢ଼ୀ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ରାଜମାତା ଅହଲ୍ୟା ବାଇଙ୍କ ଉପରେ ଆଧାରିତ ଐତିହାସିକ ରାଜ ଦରବାର ନାଟକର ରଚନା ଓ ସଂଳାପ କରିଥିଲେ ସହକାରୀ ଅଧ୍ୟାପିକା ଶାନ୍ତିଲତା ବେହେରା, ନିର୍ଦ୍ଦେଶନା ଓ ମଞ୍ଚ ପରିଚାଳନା ଡ. ସାମନ୍ତ କୁମାର ସାହୁ କରିଥିଲା ବେଳେ, ଓଡ଼ିଶା ମାତୃଶକ୍ତି ମିଶନର କଳାକାର ମାନେ ନାଟକ ମଞ୍ଚସ୍ଥ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ଶଶାଙ୍କ ଶେଖର ଜେନା, ମନୋରଞ୍ଜନ ମୁନି, ନମ୍ରତା ବାଗ, ଶ୍ରୀକାନ୍ତ ପାଢ଼ୀ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିଳା ସଂଗଠନ, ସାମାଜିକ ସଂଗଠନ, ରାଜ୍ୟ, ଜିଲ୍ଲା, ମଣ୍ଡଳ ସ୍ତରୀୟ ନେତ୍ରୁବୃନ୍ଦ ଓ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.