ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ବି ଅବହେଳିତ ବିଧବା : ରାସନ କାର୍ଡ, ଭତ୍ତା ଏବଂ ପରିବାର ମଂଗଳ ଯୋଜନା ସହାୟତାରୁ ବଂଚିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗାଁର ଭୁଲେଶ୍ୱରୀ ମଲ୍ଲିକ(୪୭) । ସ୍ୱାମୀ ଶ୍ରୀଧର ମଲ୍ଲିକ ୨୦୧୦ ମସିହାରେ ଆରପାରିକୁ ଚାଲି ଗଲେ । ସ୍ୱାମୀର ମୃତ୍ୟୁ ପରେ ନିଜର ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ନେଇ ସଂସାର । ଜମି ବାଡି କହିଲେ ଏକ ଏକର ମଧ୍ୟରେ । ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭରଣ ପୋଷଣର ବୋଝ ବିଧବା ଭୁଲେଶ୍ୱରୀ ଉପରେ ପଡିଲା । ସେ କୁହନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ଭତା ଏବଂ ପରିବାର ମଂଗଳ ଯୋଜନାରେ କୋଡିଏ ହଜାର ଟଙ୍କା ସହାୟତା ପାଇବା ନେଇ ଅନେକ ବାର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ହିଆଁଲ ଏବଂ ୧୩ କି.ମି. ଦୂରବର୍ତ୍ତୀ ତୁରେକେଲା ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହୋଇଛି । ଏପରିକି ସ୍ୱାମୀଙ୍କ ମୃତ୍ୟୁ ବର୍ଷରେ ବିଧବା ଭତା ଓ ପରିବାର ମଂଗଳ ଯୋଜନା ରାଶି ସହାୟତା ଯୋଗାଇ ଦେବା ପାଇଁ ତତ୍‌କାଳିନ ହିଆଁଲ ପଂଚାୟତର ପ୍ରତିନିଧିମାନେ ଦୁଇ ହଜାର ଟଙ୍କା ମଧ୍ୟ ନେଇଥିଲେ, କିନ୍ତୁ ରାସନ କାର୍ଡ, ଭତା କିମ୍ବା ପରିବାର ମଂଗଳ ଯୋଜନା ସହାୟତା ୧୦ବର୍ଷ ବିତି ଯାଇଥିଲେ ମଧ୍ୟ ମିଳି ପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଭୁଲେଶ୍ୱରୀ । କୋହଭରା କଣ୍ଠରେ କହିଛନ୍ତି, ଅନେକ ବାର ଅନେକ ଥର ଗୁହାରି କରିଛି, ହେଲେ ମିଳିପାରି ନାହିଁ କିଛି ବି ସହଯୋଗ । ଏପରିକି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ଇଂଦିରା ଆବାସ ଗୃହ ଯୋଜନାରେ ମଧ୍ୟ ହିତାଧିକାରୀ ଭାବେ ମତେ ଚୟନ କରାଯାଇ ନାହିଁ । ମୁଣ୍ଡ ଗୁଂଜିବା ପାଇଁ ଥିବା ମାଟି କଚା ଘରକୁ ପକ୍କା ଘର କରିବା ପାଇଁ ପରିବାରର ପୁଅ ଓ ଦୁଇ ଝିଅକୁ ଧରି ଅନେକ ଥର ଇଟା ଗଢିବା ପାଇଁ ଦାଦନ ସାଜିଛନ୍ତି ସେ । ଏପରିକି ଦାଦନ ଖଟିବାକୁ ଯାଇ ଯାହା ରୋଜଗାର କରିଥିଲେ ସେଥିରେ ସେମାନେ ଛୋଟିଆ ଏକ ପକ୍କା ଘର ନିର୍ମାଣ କରି ରହୁଛନ୍ତି । ଗତ ୨୦୧୯ ବର୍ଷରେ ମଧ୍ୟ ହାଇଦ୍ରାବାଦର ଇଟାଭାଟିକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ଚଳିତ ବର୍ଷ କରୋନା ମହାମାରୀ ରୋଗ ସଂକ୍ରମିତ ହେବାରୁ ହାଇଦ୍ରାବାଦର ଇଟାଭାଟିରୁ ନିଜ ଗାଁକୁ ଫେରିବା ପରେ ପଂଚାୟତ ଦ୍ୱାରା କରାଯାଇଥିବା ହିଆଁଲର କ୍ୱାରେନ୍‌ଟାଇନ ହୋମରେ ଚାରି ପ୍ରାଣୀ ରହିଥିଲେ । କିନ୍ତୁ ସରକାରଙ୍କ କରୋନା ସହାୟତା ରାଶି ୨୦୦୦ ଟଙ୍କ ମଧ୍ୟ ଦୁଇ ଜଣଙ୍କୁ ମିଳିଥିବା ବେଳେ ଦୁଇ ଜଣଙ୍କୁ ଦିଆଯାଇ ନାହିଁ । ଫଳରେ ସରକାରଙ୍କ ସମସ୍ତ ଯୋଜନା ଗରିବମାନଙ୍କ ପାଖରେ ଅପହଂଚ ଥିବା କହିଛନ୍ତି ଭୁଲେଶ୍ୱରୀ । ଆହୁରି କହିଛନ୍ତି, ଏପରିକି ପଂଚାୟତରେ କୌଣସି କାମ ନାହିଁ । ଯେଉଁ ସରକାରୀ ଯୋଜନାରେ ଏମଜିଏନଆରଇଜିଏ. କିମ୍ବା ଅନ୍ୟ କାମ ରହିଛି ସେଥିରେ ଆମ୍ଭର ଜବ କାର୍ଡ ନାହିଁ । ଯଦି କାମ କଲେ ଠିକ୍‌ ସମୟରେ ପଇସା ମିଳେ ନାହିଁ । ତେଣୁ ଆମ୍ଭେ ବେରୋଜଗାର ହୋଇ ପଡିଛୁ । ଯଦି କାମ ଧନ୍ଧା ନ ମିଳେ ଏବଂ ପୁନଃ ଦାଦନ ଋତୁ ଆରମ୍ଭ ହୁଏ, ତେବେ ଦାଦନ ଖଟି ଯିବା ସୁନିଶ୍ଚିତ ବୋଲି କହନ୍ତି ଭୁଲେଶ୍ୱରୀ । ଭୁଲେଶ୍ୱରୀଙ୍କୁ ସରକାରୀ ଯୋଜନା ବିଧବା ଭତା, ପରିବାର ମଂଗଳ ଯୋଜନା ରାଶି, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ଇଂଦିରା ଆବାସ ଯୋଜନରେ କିପରି ସାମିଲ କରାଯାଇ ପାରିବ ବୋଲି ସରପଂଚ ହରିସିଂ ପୋଢକୁ ଯୋଗାଯୋଗ କରିବାରୁ ତାଙ୍କ ନଜରକୁ ଆସି ନାହିଁ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି । ବିଧବା ଭତା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ଆବେଦନ କରନ୍ତୁ । ତାର ଅନୁସଂଧାନ କରି ସହାୟତା ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସରପଂଚ ଶ୍ରୀ ପୋଢ ।

Leave A Reply

Your email address will not be published.