ppurohit

ଏପ୍ରିଲ ୧ କଳା ଦିବସ ପାଳନ ପାଇଁ ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କମିଟିର ଆହ୍ୱାନ କ୍ରମେ ପାଳିତ ହେବାକୁ ଯାଉଥିବା ଆଗାମୀ ଏପ୍ରିଲ ୧ ତାରିଖରେ କଳା ଦିବସର ସଫଳତା ପାଇଁ ଗତକାଲିି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋସଲ ରାଜ୍ୟ ସମନ୍ୱୟ ସମିତିର ବରିଷ୍ଠ ସଭ୍ୟ ବିକ୍ରମ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ସହରର ବହୁ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହା ପୂର୍ବରୁ କୋସଲ ଯୁବ ସମନ୍ୱୟ ସମିତି କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ରିଲୁ ରଥ ଏପ୍ରିଲ ୧ ର କାର୍ଯ୍ୟ ଖସଡା ଆଗତ କରିଥିଲେ । ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ରାଜନୈତିକ ଦଳମାନଙ୍କ କୋସଲ ଆନ୍ଦୋଳନ ପ୍ରତି ଥିବା ଆଭିମୁଖ୍ୟ ତୀବ୍ର ସମାଲୋଚନା କରିବା ସହ ବନ୍ଦେ ଉତ୍କଳ ଜନନୀର ରାଜ୍ୟ ସଂଗୀତା ମାନ୍ୟତାକୁ ତୁରନ୍ତ ପ୍ରତ୍ୟହାର କରିବା ପାଇଁ ଦାବୀ କରିଥିଲେ । ଏହା ଛଡା କୋସଳାଞ୍ଚଳର ମୁକ୍ତିକାମୀ ଜନ ସାଧାରଣ ଆଗାମୀ ଏପ୍ରିଲ ୧ ଦିନ କଳା ଦିବସ ପାଳନରେ ବହୁ ମାତ୍ରାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ ସରକାରଙ୍କ କୋଭିଡ୍‌ ନିୟମ ପାଳନ କରି ବହୁ ସଂଖ୍ୟାରେ ଏହି ଦିବସରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜୋନାଲ ସଂଯୋଜକ ଶରତ ଚନ୍ଦ୍ର ହୋତା, ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ରଥ, ଶ୍ରମିକ ନେତା ରବି ମିଶ୍ର, ବରିଷ୍ଠ ନାଗରିକ ସଂଘର ନେତା ମନୋରଂଜନ ମିଶ୍ର, କୋସଲବାଦୀ ନେତା ରଣରାଜ ସିଂଦେଓ, ଧିରେନ୍ଦ୍ର ସିଂଦେଓ, ଶିକ୍ଷାବିତ୍‌ ପ୍ରଫେସର ପ୍ରମୋଦ ବାଗ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ପ୍ରଶନ୍ନ ମିଶ୍ର, ନରେନ୍ଦ୍ରନାଥ ମିଶ୍ର, ଦଳିତ ନେତା ଦିନେଶ ବାଗ, ଗୋବର୍ଦ୍ଧନ ପାଣ୍ଡିଆ, ପ୍ରାଣ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକ ଶେଷରେ ଯୁବ ସଂଗଠକ ବିନୋଦ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.