ୟୁପିର କୁଶୀନଗରରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ : ଦମ୍ପତିଙ୍କ ସମେତ ୪ ମୃତ୍ୟୁ, ୧୨ ଆହତ

କୁଶୀନଗର : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବୁଧବାର ସକାଳେ କୁଶୀନଗରର କପ୍‌ତାନ୍‌ଗଂଜ ଅଂଚଳରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହେତୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଗୋଦାମର ମାଲିକ, ତାଙ୍କ ପତ୍ନୀ ଏବଂ ମା’ ମଧ୍ୟ ଅଛନ୍ତି । ଏହି ମାମଲାରେ ଅବହେଳା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

ପୋଲିସ ଅଧୀକ୍ଷକ ବିନୋଦ କୁମାର ସିଂ କହିଛନ୍ତି ଯେ, କପ୍‌ତାନ୍‌ଗଂଜ ଅଞ୍ଚଳର ଜନବହୁଳ ୱାର୍ଡ ନମ୍ବର ୧୧ ରେ ଜାଭେଦ୍ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ବେଆଇନ ଭାବେ ଆତସବାଜି ଗୋଦାମ ରଖିଥିଲେ । ବୁଧବାର ସକାଳେ ଘରେ ଏଲପିଜି ସିଲିଣ୍ଡରରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିବା ବେଳେ ଜାଭେଦଙ୍କ ଘର ତଥା ସଂଲଗ୍ନ ଘର ଛାରଖାର ହୋଇଯାଇଛି । ସେ କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଦୀର୍ଘ ସମୟ ଧରି ଶୁଭିଥିଲା । ଏହି ଦୁର୍ଘଟଣାରେ ନାଜିଆ (୧୪), ଜାଭେଦ (୩୫) ଏବଂ ତାଙ୍କ ମା’ ଫାତିମା (୬୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଜାଭେଦଙ୍କ ପତ୍ନୀ ଅନୱାରୀ(୩୨) ଗୋରଖପୁର ମେଡିକାଲ କଲେଜକୁ ଯିବା ବାଟରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ ଘଟଣା ଘଟିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ୩ ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।

Leave A Reply

Your email address will not be published.