ପତ୍ନୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ : ଆତ୍ମ ସମର୍ପଣ କଲା ହତ୍ୟାକାରୀ

ନବରଂଗପୁର, (କେପିଏନ୍ଏସ୍) : ଜନୈକ ଯୁବକ ନିଜ ପତ୍ନୀର ଚରିତ୍ରକୁ ସଂଦେହ କରି ହତ୍ୟାକାଣ୍ଡ ଘଟାଇବା ପରେ ଆତ୍ମ ସମର୍ପଣ କରିଛି ପୁଲିସ ପାଖରେ । ଏହି ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ନବରଂଗପୁର ଜିଲ୍ଲା ଅଧୀନସ୍ଥ ଝରିଗାଁ ଥାନାର ହାତିବାରୀ ଗାଁରେ ଘଟିଛି ଏ ଭଳି ଏକ ଘଟଣା । ସୂଚନା ଅନୁସାରେ ହାତୀବାରି ଗାଁର ଡମ୍ବରୁ ଗୌଡ଼ (୨୦) ଏଇ କିଛି ମାସ ପୂର୍ବରୁ ଗାଁର ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରିଥିବା ବେଳେ ନିଜ ପତ୍ନୀର ଚରିତ୍ରକୁ ନେଇ ସବୁବେଳେ ସେ ସଂଦେହ କରୁଥିଲା । ଏହି ବିଷୟକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ଗାଳି ଗୁଲଜ ଲାଗି ରହିଥିଲା । ଏମାନଙ୍କ ସମସ୍ୟାର ସମାଧାନ ପାଇଁ ଗାଁରେ ବହୁ ବାର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ ସ୍ତ୍ରୀ ଉପରେ ଡମ୍ବରୁ ସଂଦେହ ହଟି ନଥିଲା । ତେବେ ଗତକାଲି ସକାଳ ବେଳା ପତିପତ୍ନୀଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ବିରକ୍ତି ପ୍ରକାଶ କରି ପତ୍ନୀ ନିଜ ଭଉଣୀ ଘରକୁ ଚାଲି ଯାଇଥିଲା । ତେବେ ଡମ୍ବରୁର ମନକୁ ପାପ ଛୁଇଁଲା । ଡମ୍ବରୁ ସଂଦେହ କଲା, ରତନ ଗୌଡ ନାମକ ତା’ର ଜଣେ ସଂପର୍କୀୟ ଶାଳକ ତା’ ସ୍ତ୍ରୀକୁ ନେଇଯାଇଛି । ତେବେ ନିଜ ସ୍ତ୍ରୀକୁ ନ ପାଇ ଡମ୍ବରୁ ଗାଁର ଏକ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ରତନ ଗୁଁଡ଼୍ରୁ ଚଢେ଼ଇ ଧରିବା ପାଇଁ ସେଠାରେ ଜାଲ ପକାଇଥିବା ଦେଖି ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ରତନର ବେକକୁ ଚୋଟ ପକାଇଥିଲା । ଘଟଣା ସ୍ଥଳରେ ରତନର ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିବା ବେଳେ ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଡମ୍ବରୁ ରାତିରେ ଆସି ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିଲା । ତେବେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.