ସୁଧୁରୁଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା : କରୋନା ରୋଗୀଙ୍କ ପାଇଁ ବଢୁଛି ଆସିୟୁ ବେଡ୍‌, ପରୀକ୍ଷା କିଟ୍‌ ଓ ଅକ୍ସିଜେନ୍‌ ସିଲିଣ୍ଡର୍‌ ସଂଖ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସପ୍ତାହରେ କରୋନା ବଲାଙ୍ଗିର ସହରରେ ତାର କରାଳ ରୂପ ଦେଖାଇଛି । ଅନେକେ ଏହାର ସଂକ୍ରମଣରେ ସଂକ୍ରମିତ ହୋଇଥିବା ବେଳେ ସହରର କିଛି ଚିହ୍ନାମୁହଁ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ଏହି ଭିତରେ ସହର ତଥା ଜିଲ୍ଲାରେ କରୋନା ନିୟନ୍ତ୍ରଣ ତଥା ରୋଗୀଙ୍କ ଜୀବନ ବଂଚଇବା ଦିଗରେ ଉଭୟ ରାଜନେତା ଓ ପ୍ରଶାସନ ବେଶ୍‌ ଜୋର୍‌ ଦେଉଥିବା ଦେଖାଯାଉଛି । ଉଭୟ ରାଜ ନେତା ଓ ପ୍ରଶାସନର ଉପଯୁକ୍ତ ପ୍ରୟାସ ଓ କଠିନ ପରିଶ୍ରମ ଦ୍ୱାରା ଜିଲ୍ଲା ତଥା ସହରରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କିଛି ମାତ୍ରାରେ ସୁଧୁରୁଥିବା ପରିଲକ୍ଷିତ ହେଉଛି । ସେହି କ୍ରମରେ ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୧୦ଟି ଆସିୟୁ ବେଡ ସାଙ୍ଗକୁ ୧୦ଟି ଏଚଡିୟୁ ବେଡ୍‌ ବ୍ୟବସ୍ଥା କରାଯାଇଛି । ପୁର୍ବରୁ ସହରର କିସ୍‌ କରୋନା ହସପିଟାଲରେ ମଧ୍ୟ ୧୦ ଆସିୟୁ ଓ ୧୦ ଏଚ୍‌ଡିୟୁ ବେଡ୍‌ର ବ୍ୟବସ୍ଥା ଥିଲା । ବର୍ତ୍ତମାନ କରୋନା ରୋଗୀଙ୍କ ପାଇଁ ସହରରେ ଆଇସିୟୁ ବେଡ ସଂଖ୍ୟା ୨୦ରେ ପହଂଚିିଥିବା ବେଳେ ଓ ଏଚଡିୟୁ ବେଡ୍‌ ସଂଖ୍ୟା ମଧ୍ୟ ୨୦ ରହିଛି । ତେବେ ଆସନ୍ତ ସୋମବାର ସୁଦ୍ଧା ସ୍ଥାନୀୟ କିସ କରୋନା ହସପିଟାଲରେ ଆହୁରି ୧୦ଟି ଆଇସିୟୁ ବେଡ୍‌ ବ୍ୟବସ୍ଥା କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


ସୂଚନା ଯୋଗ୍ୟ ଯେ, ଭୀମ ଭୋଇ ମେଡିକାଲ କଲେଜରେ କରୋନା ରୋଗୀଙ୍କ ପାଇଁ କେବଳ ୧୦ଟି ଏଚଡିୟୁ ବେଡ୍‌ ରହିଥିଲା । ଗତ ସେପ୍ଟେମ୍ବର ୮ ତାରିଖରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆହୁରି ୧୦ଗୋଟି ଆଇସିୟୁ ବେଡ୍‌ ନିମନ୍ତେ ସରକାରଙ୍କ ପାଖରେ ଦାବୀ ଜଣାଇଥିଲେ । ସେହି କ୍ରମରେ ଭୀମ ଭୋଇ ମେଡିକାଲ କଲେଜରେ ୧୦ଟି ଆସିୟୁ ବେଡ ପାଇଁ ଅନୁମତି ମିଳିଥିଲା । ପରେ ପରେ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ଅକ୍ସିଜେନ୍‌ ଅଭାବରେ ମୃତ୍ୟୁ ହାର ଦ୍ରୁତ ଗତିରେ ବଢିବାକୁ ଲାଗିଥିଲା । ଏହି ସମସ୍ୟାକୁ ରୋକିବାକୁ ଯାଇ ବିଧାୟକ ପୁଣି ଥରେ ସେପ୍ଟେମ୍ବର ୧୧ ତାରିଖରେ ସ୍ଥାନୀୟ କିସ୍‌ କରୋନା ହସପିଟାଲ ପାଇଁ ଆହୁରି ୧୦ଟି ଆଇସିୟୁ ବେଡ୍‌ ପାଇଁ ଦାବୀ କରିଥିଲେ । କିଛି ଦିନ ପୁର୍ବରୁ ଏହାର ସରକାରୀ ଅନୁମତି ମିଳି ସାରିଥିବା ବେଳେ ଆଜି ଭୀମ ଭୋଇ ମେଡିକାଲ କଲେଜରେ ୧୦ଟି ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାର ସୁଦ୍ଧା କିସ୍‌ ହସପିଟାଲରେ ମଧ୍ୟ ଆହୁରି୧୦ଟି ଆସିୟୁ ବେଡ୍‌ ପ୍ରସ୍ତୁତ ହେବା ସମ୍ବନ୍ଧରେ ସୂଚନା ରହିଛି । ସେହିପରି ପୁର୍ବରୁ ମେଡିକାଲ କଲେଜରେ କେବଳ ୨୮୦ଟି ମିଡିଅମ୍‌ ସାଇଜ୍‌ ଅକ୍ସିଜେନ୍‌ ସିଲିଣ୍ଡର୍‌ ଓ ୧୨୦ଟି ବଡ ସିଲିଣ୍ଡର ଥିବା ବେଳେ ଏବେ ୪୦୦ଟି ନୂଆ ଅକ୍ସିଜେନ ସିଲିଣ୍ଡର ଓ ୧୦୦ଟି ବଡ ସିଲିଣ୍ଡର ଆସି ପହଞ୍ଚିଛି । କରୋନା ସଂକ୍ରମିତଙ୍କ ପରୀକ୍ଷା ପାଇଁ ପୂର୍ବରୁ ପ୍ରତ୍ୟହ ୩୦୦ ପରୀକ୍ଷା କରାଯାଉଥିବା ବେଳେ ଏବେ ଦିନକୁ ୪୦୦ ପରୀକ୍ଷାର ବ୍ୟବସ୍ଥା କରାଯାଉଛି ।

ଆହୁରି ମେଡିକାଲ କଲେଜରେ ଥିବା ୧୨ଟି ଅଚଳ ଭେଂଟିଲେଟରକୁ ସଚଳ କରି ରୋଗୀ ସେବାରେ ଲଗାଯିବା ପାଇଁ ଚେଷ୍ଟା ଚାଲିଥିବା ସୂଚନା ରହିଛି । ତବେ ସହର ତଥା ଜିଲ୍ଲରେ ସ୍ୱାସ୍ଥସେବା ଅବସ୍ଥା ସୁଧୁରୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଏଥିପ୍ରତି ତତ୍ପରତା ଜାରି ରହିଲେ ଆଗକୁ ଆହୁରି ଅବସ୍ଥାରେ ସୁଧାର ଆସିବା ସଂଗେ ସଂଗେ ଅନେକ ରୋଗୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.