ଲକ୍‌ଡ଼ାଉନ୍‌ରେ ବିଦେଶୀ ଫଳ ଡ଼୍ରାଗନ୍ ଦେଇଛି ବଞ୍ଚିବାର ରାହା

ଯୁବ ଡ଼୍ରାଗନ୍ ଚାଷୀଙ୍କ ସଫଳ କାହାଣୀ
କଳାହାଣ୍ଡି, (କେପିଏନେସ) : ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ ପାଆନ୍ତି ସେଠାକାର ଲୋକେ । ତେବେ ଧୀରେ ଧୀରେ ଭାରତର ବିଭିନ୍ନ ପ୍ରାନ୍ତରେ ବି ଡ଼୍ରାଗନ ଚାଷ ଆରମ୍ଭ ହେଇଥିବାବେଳେ ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ଡ଼୍ରାଗନ ଚାଷ ସଫଳ ହେଇଥିବାବେଳେ ସେଠାରେ କିଲୋପ୍ରତି ତିନିଶହରୁ ଚାରିଶହ ଟଙ୍କାରେ ବିକ୍ରୀ ହେଉଛି । ତେବେ ଏହି ଚାଷ ଏବେ ଓଡ଼ିଶାରେ କିଛି ସ୍ଥାନରେ କରାଯାଇଥିଲେ ହେଁ ଅନେକେ ବିଫଳ ହେଇଥିବାର ଜଣାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତର ବାଙ୍କେଲ ଗାଁର ଗୌରାଙ୍ଗ ସାହୁଙ୍କ ଏକମାତ୍ର ପୁତ୍ର ଉଦ୍ୟମୀ ଯୁବକ ବୈଷ୍ଣବ ଚରଣ ସାହୁ ଗତ ବର୍ଷ ଏହି ଚାଷ କରି ସଫଳ ହେଇଥିବାର ଜଣାଯାଇଛି । ଏବେ ଏହି ଚାଷ କରି ଲକ୍‌ଡ଼ାଉନ ସମୟରେ ବେଶ ଦୁଇ ପଇସା ରୋଜଗାର କରୁଥିବାର ସୂଚନା ମିଳିଛି ।
ସାକ୍ଷାତ ସମୟରେ କହିଲେ ଯେ, ବୈଷ୍ଣବ କୌଣସି କାରଣ ବଶତଃ ମାଟ୍ରିକରେ ପାଠପଢାରେ ଡ଼ୋରି ବନ୍ଧା ହେବା ପରେ ପ୍ରଥମେ ପନିପରିବା ଚାଷ କରି ସଫଳ ହେଇଥିଲେ କିନ୍ତୁ ସେତିକିରେ ତାଙ୍କ ମନ ବୁଝିଲା ନାହିଁ । ବୈଷ୍ଣବ ପିଲାଟି ଦିନରୁ ଇସ୍କନ ଧର୍ମାବଲମ୍ବୀ । ମାଟ୍ରିକ ପରେ ପରେ ସେ ଇସ୍କନ ଭକ୍ତ ଭାବରେ ଦ୍ୱାରିକା ତୀର୍ଥ କରିବାକୁ ଯାଇ ସେଠାରେ ଡ଼୍ରାଗନ ଚାଷ ଦେଖିଥିଲେ । ଏହି ଫଳ ପ୍ରତି ତାଙ୍କର ଆସକ୍ତି ହେଇ ଉକ୍ତ ବଗିଚାର ମାଲିକଙ୍କ ସହିତ କଥା ବାର୍ତ୍ତା କରି ଡ଼୍ରାଗନ ଚାଷ ସଂପର୍କରେ ତାଲିମ ନେବା ଉଦ୍ଦେଶ୍ୟରେ ରହିଯାଇଥିଲେ । ସେଠାରେ ଅଢେଇବର୍ଷ ଡ଼୍ରାଗନ ଚାଷ ତାଲିମ ନେବା ପରେ ୨୦୧୮ ମସିହାରେ ସେଠାରୁ ପ୍ରତିଚାରାର ମୂଲ୍ୟ ୧୦୦ଟଙ୍କା ହିସାବରେ ୧୦୦୦ ଚାରା ସହିତ ଘରକୁ ଫେରିଥିଲେ ।


ନିଜ ଚାଷ ଜମିରେ ଏହି ଚାଷ ପାଇଁ କୋଡ଼ିଏ ଡ଼େସିମିଲ ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା, ଯଥା ଡ଼୍ରିପ୍ ବ୍ୟବସ୍ଥା (ଗୋଟିଏ ଏକର ଟ୍ରିପ ବ୍ୟବସ୍ଥାର ଖର୍ଚ୍ଚ ୧ଲକ୍ଷ ୩୦ ହଜାର ଟଙ୍କା) ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥାକ୍ରମରେ ସିମେଂଟ ପିଲର (ଖର୍ଚ୍ଚ ୪୦ହଜାର) ସହିତ ଜମିକୁ ବାଡ଼ ତିଆରି କରାଯାଇ ଚାଷ ଆରମ୍ଭ କରାଯାଇଥିଲା । ପ୍ରଥମ ବର୍ଷ ଗଛରେ ଠିକ ଭାବରେ ଫଳ ହେଇନଥିବାବେଳେ ଦୁଇବର୍ଷ ପରେ ଏହି ଗଛର ଫଳ ଠିକ ଭାବରେ ବାହାରିଥାଏ । ଗଛ ପ୍ରତି ପ୍ରତିଥର ଦୁଇ କିଲୋରୁ ଅଧିକ ଫଳ ବାହାରିଥାଏ ଏବଂ ଗତ ଜୁନରେ ଫୁଲ ଆସିବା ସହିତ ଜୁଲାଇରେ ଫଳ ବାହାରିଥିବା ଜଣାଯାଇଛି ।
ଗୋଟିଏ ଗଛ ପ୍ରାୟ କୋଡ଼ିଏ ବର୍ଷରୁ ବେଶୀ ସମୟ ଫଳ ଦେଇଥାଏ । ତେବେ ସଂପ୍ରତି ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ଲୋକେ ଜୀବନ ଜୀବିକାକୁ ନେଇ ଘୋର ସଂଘର୍ଷ କରୁଥିବାବେଳେ ବୈଷ୍ଣବ କିନ୍ତୁ ଡ଼୍ରାଗନ ଫଳ ବିକ୍ର୍ରୀ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ବିଦେଶରେ ଏହାର କିଲୋ ପିଛା ଦର ୫୦୦ ଥିବାବେଳେ ଓଡ଼ିଶା ବାହାରେ ୩୦୦ରୁ ୪୦୦ଟଙ୍କା ମଧ୍ୟରେ ବିକ୍ରୀ ହେଉଛି,ଏବେ ବୈଷ୍ଣବ କିନ୍ତୁ କିଲୋ ପ୍ରତି ୩୦୦ଟଙ୍କା ଦରରେ ବିକ୍ରୀ କରୁଥିବା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି ।
ତେବେ ଏହି କୋଡ଼ିଏ ଡ଼ିସମିଲ ଜାଗାରେ ୧୦୦୦ ଗଛରୁ ଏବେ ୭୦୦ ଗଛ ଉନ୍ନତମାନର ହେଇଥିବ ସହିତ ଫଳ ଦେଉଥିବାବେଳେ ଆଗକୁ ପ୍ରାୟ ଗୋଟିଏ ଏକରରେ ଜାଗାରେ ଡ଼୍ରାଗନ ଗଛର କଲମୀକରଣ କରି ପ୍ରାୟ ୪୦୦୦ ଚାରା ରୋପଣ କରିବାର ଯୋଜନା କରିଛନ୍ତି । ଫଳର ଅମଳ ବଢିବା ପରେ ବଜାର ବ୍ୟବସ୍ଥା ନିଶ୍ଚୟ ବଢିବ ଏବଂ କୋଡ଼ିଏ ଡ଼େସିମିଲ ଜାଗାରେ ପ୍ରାୟ ବାର୍ଷିକ ରୋଜଗାର ୫ଲକ୍ଷରୁ ଅଧିକ ରହିବ ବୋଲି କହିଛନ୍ତି ।
ଏବେ ଏହି ଡ଼୍ରାଗନ ଫଳର ପ୍ରଚାର ଉଦ୍ଦେଶ୍ୟରେ ନିଜେ ବୈଷ୍ଣବ ମ.ରାମପୁର, କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବିକ୍ରୀ କରୁଛନ୍ତି । ତେବେ ଆମେ ତାଙ୍କୁ ଓଡ଼ିଶାର କିଛି ସ୍ଥାନରେ ଏହି ଚାଷ କରି ଚାଷୀମାନେ ଅସଫଳ ହେଇଥିବା କଥା କହିବାରୁ ସେ ଏହାର ଉପଯୁକ୍ତ ତାଲିମ ନ ନେଇ ଏହି ଚାଷ କେବେହେଲେ ସଫଳ ହେଇପାରିବ ନାହିଁ ଏବଂ ଯେହେତୁ ଏହା ବିଦେଶୀ ଫଳ ଏହାର ଉପଯୁକ୍ତ ଯତ୍ନ ଆବଶ୍ୟକ ଏବଂ ଆମ ଓଡ଼ିଶାର କୃଷି ବିଭାଗ ଏହି ଚାଷ ସଂପର୍କରେ କୌଣସି ବୈଷୟିକ ସହାୟତା ଦେଇପାରିବେ ନାହିଁ ତେଣୁ ଏହି ଚାଷ ପ୍ରତି ସାଧାରଣରେ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯଦି ଏହି ଚାଷକୁ ସରକାରୀ ସ୍ତରରେ ସହାୟତାର ବ୍ୟବସ୍ଥା ରହିଲେ ଅନେକ ଚାଷୀ ଅନ୍ୟ ଚାଷ ଅପେକ୍ଷା ଏହି ଚାଷ କରି ଲାଭବାନ ହେଇପାରିବେ ବୋଲି ଚାଷୀ ବୈଷ୍ଣବ ସାହୁ, ସମାଜସେବୀ ରୋମାଞ୍ଚ ସାହୁ(ରାଷ୍ଟ୍ର) ପ୍ରକାଶ କରିଛନ୍ତି।

Leave A Reply

Your email address will not be published.