କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ସୀମାଂଚଳ ପଣ୍ଡାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ

ବ୍ରହ୍ମପୁର, (କେପିଏନ୍ଏସ୍) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର “ନବୀନ’ର ସାମ୍ବାଦିକ ସୀମାଂଚଳ ପଣ୍ଡାଙ୍କ ଗତ ଜୁଲାଇ ୧୩ ତାରିଖରେ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେଣୁ ରାଜ୍ୟ ସରକାର କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଇତିମଧ୍ୟରେ ରାଜ୍ୟର ତିନିଜଣ ସାମ୍ବାଦିକ ଗଞ୍ଜାମର ଦୁଇ ଓ ଗଜପତିର ଜଣେ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଦୁଇଜଣଙ୍କ ପାଇଁ ସରକାରୀ ଘୋଷିତ ରାଶି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସ୍ୱର୍ଗତ ସୀମାଂଚଳଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇନାହିଁ । ତେଣୁ ଏହି ପରିବାରକୁ ଘୋଷିତ ସହାୟତା ରାଶି ପ୍ରଦାନ କରିବା ପାଇଁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ, ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ ଏବଂ ଗଞ୍ଜାମ ଜିଲାପାଳଙ୍କ ସହ ବରିଷ୍ଠ ପଦାଧିକାରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଦୁଃଖଦ ବିଷୟ, ସ୍ୱର୍ଗତ ପଣ୍ଡା ଗତ ଜୁଲାଇ ୧୩ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ ୮ ତାରିଖରେ ତାଙ୍କର ଏକମାତ୍ର ପୁତ୍ର ଅସିତ କୁମାର ପଣ୍ଡା ୩୧ ବର୍ଷ ବୟସରେ କରୋନା ଲକ୍ଷଣ ଦେଖାଯିବା ଯୋଗୁଁ ଚିକିତ୍ସା ପାଇଁ ନେବା ବେଳେ ମୃତୁ୍ୟବରଣ କରିଛନ୍ତି । ସ୍ୱର୍ଗତ ପଣ୍ଡାଙ୍କ ବିଧବା ପତ୍ନୀ, ବିଧବା ବୋହୁ ଓ ଏକ ବର୍ଷର ନାତି ନିଃସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ସ୍ୱର୍ଗତ ପଣ୍ଡା ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ । ଗତ ଦୁଇ ଦଶନ୍ଧି ଧରି ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନପ୍ରାପ୍ତ ସାପ୍ତାହୀକ “ନବୀନ’ର ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିଲେ । ତେଣୁ ଏ ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ସହ ମୃତକଙ୍କ ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବାକୁ ଶ୍ରୀ ରଥ ନିବେଦନ କରିଛନ୍ତି ।

Leave A Reply

Your email address will not be published.