● ଜଳ ଶକ୍ତି ଅଭିଯାନ-କ୍ୟାଚ୍ ଦ ରେନ୍ ଅଧୀନରେ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ବିଜେତାମାନଙ୍କୁ ମିଳିବ ସ୍ୱୀକୃତି
● ଓଡିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକକୁ ତୃତୀୟ ବର୍ଗରେ ଦିଆଯିବ ଏହି ପୁରସ୍କାର
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଜଳ ସଞ୍ଚୟ ଜନ ଭାଗିଦାରୀ ୧.୦ (ଜେଏସଜେବି) ପ୍ରୟାସ ଅନ୍ତର୍ଗତ ଉତ୍କୃଷ୍ଟ ପ୍ରଦର୍ଶନକାରୀଙ୍କ ପାଇଁ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛି । ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍ ଅଭିଯାନ ଅନ୍ତର୍ଗତ ଏକ ପ୍ରମୁଖ ଗୋଷ୍ଠୀ ଆଧାରିତ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଏହି ପୁରସ୍କାର ମିଳିଥାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସମାରୋହରେ ୨୦୨୫ ମସିହା ପାଇଁ ଷଷ୍ଠ ଜାତୀୟ ଜଳ ପୁରସ୍କାର ସହିତ ଜଳ ପଞ୍ଚାୟତ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିବେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜଳ ଶକ୍ତି ପାଇଁ ଜନ ଶକ୍ତି ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ, ଜଳ ସଂଚୟ ଜନ ଭାଗୀଦାରୀ ପ୍ରୟାସ ୬ ସେପ୍ଟେମ୍ବର ୨୦୨୪ରେ ଗୁଜୁରାଟର ସୁରତରୁ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ମୋଟ ୧୦୦ ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ତିନୋଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ, ୬୭ ଜିଲ୍ଲା, ଛଅଟି ନଗର ନିଗମ, ଗୋଟିଏ ପୌର ସଂସ୍ଥା, ଦୁଇଟି ସହଭାଗୀ ମନ୍ତ୍ରଣାଳୟ/ବିଭାଗ, ଦୁଇଟି ଶିଳ୍ପ, ତିନୋଟି ଏନଜିଓ, ଦୁଇ ସ୍ୱେଚ୍ଛାସେବୀ ବ୍ୟକ୍ତିବିଶେଷ ଏବଂ ୧୪ ଜଣ ନୋଡାଲ ଅଧିକାରୀ ଅନ୍ତର୍ଭୁକ୍ତ । ଜେଏସଜେବି ପୋର୍ଟାଲରେ ଅପଲୋଡ୍ କରାଯାଇଥିବା ଯାଞ୍ଚ ତଥ୍ୟ ଆଧାରରେ ପୁରସ୍କାର ବିଜେତାମାନଙ୍କୁ ଚୟନ କରାଯାଇଛି । ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକୁ ବର୍ଗ ୧ରେ ପ୍ରତ୍ୟେକଙ୍କୁ ୨ କୋଟି ଟଙ୍କା ପ୍ରଦାନ କରାଯିବ । ବର୍ଗ ୨ ଏବଂ ୩ରେ ଥିବା ଜିଲ୍ଲାଗୁଡ଼ିକୁ ଯଥାକ୍ରମେ ୧ କୋଟି ଟଙ୍କା ଏବଂ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଅନ୍ୟମାନଙ୍କୁ ମଧ୍ୟ ସ୍ୱୀକୃତି କରାଯିବ । ପ୍ରତ୍ୟେକ ପୁରସ୍କାରରେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ସଚିବଙ୍କ ଦ୍ୱାରା ଦସ୍ତଖତ ଏକ ପ୍ରଶସ୍ତିପତ୍ର ମଧ୍ୟ ଅନ୍ତର୍ଭୁକ୍ତ । ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଓଡିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକକୁ ତୃତୀୟ ବର୍ଗରେ ଏହି ପୁରସ୍କାର ଦିଆଯିବ । ଏସବୁ ଜିଲ୍ଲାରେ ବିଭିନ୍ନ ଜଳପ୍ରକଳ୍ପକୁ ସଫଳତାର ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପାଇବେ । ସମ୍ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଦ୍ୱାରା ପରିଚାଳିତ ଏହି ପ୍ରୟାସ ତୃଣମୂଳ ସ୍ତରରେ ଭାଗିଦାରୀ ଆଧାରିତ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ଜଳ ପରିଚାଳନାକୁ ପ୍ରୋତ୍ସାହିତ କରେ । ଗୋଷ୍ଠୀ, କର୍ପୋରେଟ୍ ସାମାଜିକ ଦାୟିତ୍ୱ ଏବଂ ମୂଲ୍ୟ ମନ୍ତ୍ର ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ଏକ ସମାବେଶୀ ମଡେଲ ଗ୍ରହଣ କରେ ଯାହା ଦୀର୍ଘକାଳୀନ ଜଳ ସୁରକ୍ଷା ଓ ଜଳ ଚାପ ବିରୁଦ୍ଧରେ ସ୍ଥିରତାକୁ ପ୍ରୋତ୍ସାହିତ କରେ । ଏହି ପଦକ୍ଷେପ ଅଧୀନରେ, ରାଜ୍ୟଗୁଡ଼ିକୁ ପାଞ୍ଚଟି ଜୋନରେ ବିଭକ୍ତ କରାଯାଇଛି, ଏବଂ ଜିଲ୍ଲାଗୁଡ଼ିକୁ ସର୍ବନିମ୍ନ ୧୦,୦୦୦ କୃତ୍ରିମ ଜଳ ରିଚାର୍ଜ ବା ଜଳ ଅମଳ ଏବଂ ସଂରକ୍ଷଣ ଢାଞ୍ଚା ନିର୍ମାଣ କରିବାକୁ ଉତ୍ସାହିତ କରାଯାଇଛି । ଉତ୍ତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକର ଜିଲ୍ଲାଗୁଡ଼ିକ ପାଇଁ ଏହି ସଂଖ୍ୟା ୩,୦୦୦ ହୋଇଥିବା ବେଳେ ଦେଶବ୍ୟାପୀ ନଗର ନିଗମଗୁଡ଼ିକ ପାଇଁ ଏହା ୧୦,୦୦୦ ରହିଛି । ଏହି ଢାଞ୍ଚାଗୁଡ଼ିକ ଛାତ ଉପରେ ବର୍ଷାଜଳ ଅମଳ, ଏବଂ ହ୍ରଦ, ପୋଖରୀ ଏବଂ ଷ୍ଟେପୱେଲଗୁଡ଼ିକର ପୁନରୁଦ୍ଧାର ପାଇଁ ଅନ୍ତର୍ଭୁକ୍ତ । ଭାରତ ସରକାର ବୋରୱେଲ ରିଚାର୍ଜ ସିଷ୍ଟମ ବା ଜଳ ଅମଳ ପ୍ରଣାଳୀ ଏବଂ ଛାତ ଉପରେ ବର୍ଷାଜଳ ଅମଳ ୟୁନିଟ୍ ଭଳି କୃତ୍ରିମ ଭୂତଳ ଜଳ ରିଚାର୍ଜ ଢାଞ୍ଚାର ନିର୍ମାଣ, ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅସାଧାରଣ ପ୍ରଗତି ପାଇଁ ପୁରସ୍କାର ବିଜେତାମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ୧୦ ଲକ୍ଷ ଢାଞ୍ଚା ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୭.୬ ଲକ୍ଷ ଢାଞ୍ଚା ନିର୍ମାଣ ହୋଇଥିବା ରିପୋର୍ଟ କରାଯାଇଛି । ସହରାଞ୍ଚଳ ଜଳ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଜଳ ଶକ୍ତି ମନ୍ତ୍ରଣାଳୟ ସହିତ ସହଭାଗୀ ହୋଇଛି । ଏହି ସହଯୋଗ ମାଧ୍ୟମରେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ପ୍ରତ୍ୟେକକୁ ଅତି କମରେ ୨,୦୦୦ ରିଚାର୍ଜ ଢାଞ୍ଚା ନିର୍ମାଣ କରିବାକୁ ପ୍ରୋତ୍ସାହନ ଦିଆଯାଇଛି । ଜଳ ସଞ୍ଚୟ ଜନ ଭାଗୀଦାରୀ ପ୍ରୟାସ ଜନଭାଗିଦାରୀ ଏବଂ ସମ୍ବଳର ଏକତ୍ରୀକରଣ ମାଧ୍ୟମରେ କୃତ୍ରିମ ଭୂତଳ ଜଳ ସଂରକ୍ଷଣ ପାଇଁ ବିବିଧ, ବ୍ୟାପକ ଏବଂ ଅନୁକରଣୀୟ ଉଦାହରଣ ପ୍ରସ୍ତୁତ କରିଛି ।