ହଜି ଯାଉଛି ବୁଢ଼ା ବରଗଛ

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ । ଏହାକୁ ବଟବୃକ୍ଷ ବୋଲି କୁହାଯାଏ । ଉଦ୍ଭିଦ ବିଜ୍ଞାନର ନାମାନୁସାରେ ଏହାକୁ ଫାଇକସ ବେଙ୍ଘାଲେନସିସ (Ficus Benghalensis) କୁହାଯାଏ । ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲାପରେ ଏହାର ଡାଳରୁ ଓହଳ ବାହାରି ମାଟିରେ ଲାଗିଯାଏ । ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବର ବୃକ୍ଷ ରହୁଥିଲା । ରଜପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତ ଗଛର ବାହାଘର କରିଥାନ୍ତି । ବରଗଛକୁ ପୁରାଣରେ ଏକ ମହତ୍ୱକାରୀ ବନସ୍ପତି ବୃକ୍ଷ ରୂପେ ବର୍ଣ୍ଣନା କରାଯାଇଛି । ସେଥି ପାଇଁ ଗାଁ ମାନଙ୍କରେ ମହିଳା ମାନେ ବରଗଛ ମୂଳେ ଶନିଦେବଙ୍କୁ ପୂଜା କରିଥାନ୍ତି । ମଙ୍ଗଳବାର ଦିନ ବରଗଛର ୧୧ଟି ପତ୍ରରେ ସିନ୍ଦୁରରେ ହନୁମାନଙ୍କ ନାମ ଲେଖି ନିଜ ଘରେ ରଖିଲେ ପରିବାରର ସୁଖ ଓ ସମୃଦ୍ଧି ହୋଇଥାଏ । ଶନିବାର ଦିନରେ ବରଗଛର ଏକ ଛୋଟ ଡାଳକୁ ଆଣି ଘରେ ରଖିଲେ ସମସ୍ତ ପ୍ରକାର ଅନିଷ୍ଟ କାରି ଶକ୍ତି ଘରୁ ଦୂରେଇ ଯାଇଥାଏ । ବରଗଛରେ ଧଳା ସୂତାକୁ ୧୧ ଥର ବାନ୍ଧି ଜଳ ଢାଳିଲେ ପରିବାରରୁ ଦାରିଦ୍ର୍ୟତା ଦୂର ହୋଇଥାଏ । ଶନିବାର ଦିନ ପାନ, ଗୁଆ ଓ ଏକ ମୁଦ୍ରା ବର ବୃକ୍ଷ ମୂଳେ ରଖିଦେଲେ କିଛି ଦିନ ମଧ୍ୟରେ ବ୍ୟବସାୟରେ ନିଶ୍ଚୟ ସଫଳତା ମିଳିଥାଏ । ଶନିବାର ଦିନ ନଡ଼ିଆକୁ ନାଲି କପଡ଼ାରେ ଗୁଡ଼ାଇ ବରଗଛ ମୂଳେ ରଖିଦେଲେ କର୍ମମୟ ଜୀବନରେ ଏହାର ସୁପ୍ରଭାବ ନିଶ୍ଚୟ ପଡ଼ିଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି । ସବୁଠୁ ମୁଖ୍ୟ କଥା ହେଉଛି ଏହି ଗଛର ଫଳ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଓ ଏଥିରେ ଅନେକ ପୋଷକ ତତ୍ତ୍ଵ ମିଳିଥାଏ । ଖଣିଜ ଲୁଣ, ଆଣ୍ଟି ଅକ୍ସିଡାଣ୍ଟ ଓ ଆନାଲଜେସିକକ ଗୁଣରେ ଭରପୂର ଥାଏ । ଏଥିରେ ପ୍ରୋଟିନ, ଫାଇବର, କ୍ୟାଲସିୟମ ଓ ଫସ୍‌ଫରସ୍‌ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ । ବର ଫଳରେ ଏମିତି କିଛି ଉପାଦାନ ରହିଛି ଯାହାର ବ୍ୟବହାରରେ ମାନସିକ ଚାପ କାମିବା, ପେଟ ଜନିତ ସମସ୍ୟା ଦୂର ହେବା, ଇମ୍ୟୁନିଟି ବଢ଼ାଇବା, ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବା, ମଧୁମେହ ସମସ୍ୟାକୁ ହ୍ରାସ କରିବା ଭଳି ଅନେକ ଗୁଡ଼ାଏ ସମସ୍ୟାର ସମାଧାନ ହୋଇଥାଏ ବୋଲି ବୈଦ୍ୟରାଜ ମାନେ ମତ ପ୍ରକାଶ କରିଥାନ୍ତି । ତେବେ ପରିବେଶ ସୁରକ୍ଷା ହେଉ କି ପ୍ରାଣୀ ଜଗତର ଜୀବନ ରକ୍ଷା ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବୃକ୍ଷ ହିଁ ସର୍ବଦା ସହାୟକ ହୋଇଥାଏ । ଏପରିକି ଯେବେ ପ୍ରାକୃତିକ ବିପଦ ଆସେ ଅନ୍ୟର ସୁରକ୍ଷା ପାଇଁ ସେ ଯୁଝିଥାଏ ନିଆରା ଯୋଦ୍ଧା ପରି । ଗାଁରୁ ସହର ଅନେକ ଛକ ସ୍ଥାନର ପ୍ରହରୀ ଓ ଅନେକ କଥାର କାହାଣୀ ଅଟେ ସେହି ବୁଢ଼ା ବରଗଛ । ମଶାଣି ପଦାରୁ ମେଳା ପଡିଆ ସବୁଠାରେ ସବୁ ବେଳେ ଲାଗିଥାଏ ପ୍ରାଣୀଙ୍କ ସେବାରେ । ତାରି ମୂଳେ ନ୍ୟାୟ ନିସାପ ପୁଣି ତା’ ମୂଳରେ ସ୍ଥାପନା ହୁଅନ୍ତି ଗ୍ରାମ ଦେବତା । କେତେ ଭକ୍ତି ଓ ବିଶ୍ୱାସ ସୃଷ୍ଟି ହୁଏ ତା ଠାରେ,କେଉଁଠି ତନ୍ତ୍ରମନ୍ତ୍ରର ଅଜବ ପୂଜା ଚାଲେ ତ ଆଉ କେଉଁଠି ବିଜ୍ଞାନର ପରୀକ୍ଷା ନିରୀକ୍ଷା । ତେବେ ବଟ ବୃକ୍ଷ ଆମ ଉପାସନା, ପରମ୍ପରା ଐତିହ୍ୟର ସ୍ଵତନ୍ତ୍ର ମର୍ଯ୍ୟାଦା ବହନ କରୁଥିବା ବେଳେ ଇତିହାସ କୁହେ ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ୱାଧୀନ କରିବା ପାଇଁ ଗାନ୍ଧିଜୀ ଦେଶ ବ୍ୟାପି ପଦଯାତ୍ରା କରୁଥିବା ସମୟରେ ୧୯୨୭ ମସିହା ଡିସେମ୍ବର ୮ ତାରିଖ ପଣ୍ଡିତ ଗୋଦାବରୀଶ ମିଶ୍ର ଗାନ୍ଧିଜୀଙ୍କୁ ବାଣପୁର ପାଛୋଟି ଆଣିଥିଲେ । ସେଠାରେ ଗୋଦାବରୀଶ ମିଶ୍ରଙ୍କ ଆଶ୍ରମ ନିକଟରେ ଥିବା ବୁଢ଼ା ବରଗଛ ତଳେ ଜାତିର ପିତା ମହାତ୍ମା ଗାନ୍ଧୀ ସଭା କରିଥିଲେ । ପୁଣି ଓଡ଼ିଶାର ମହାନ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ରକ୍ତରଞ୍ଜିତ ଫାଶୀ ଦିଆ ବରଗଛ ଏବେବି ସ୍ମରଣ କରେ ଇଂରେଜ ଶାସନର ଅମାନୁଷିକ ଲୋମ ଟାଙ୍କୁରା ହତ୍ୟା କାଣ୍ଡକୁ । ୧୮୦୬ ମସିହା ଡିସେମ୍ବର ୬ ତାରିଖ ଭୋର ସମୟରେ ମହାନ ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ଇଂରେଜ ମାନେ ମେଦିନୀପୁରର ବାଘିତୋଟାର ସେହି ବୁଢ଼ା ବରଗଛର ଡାଳରେ ଦୁଇ ଗୋଡ଼କୁ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସେବେ ଠାରୁ ସେଠାରେ ଥିବା ମୂଳ ଗଛର ଶାଖା ଗଛକୁ ପ୍ରତି ବର୍ଷ ଗ୍ରାମର ଲୋକମାନେ ପୂଜାର୍ଚ୍ଚନା କରିବା ସହିତ ଜୟୀ ରାଜଗୁରୁଙ୍କ ନାମରେ ଯଜ୍ଞ ଓ ସଙ୍କୀର୍ତ୍ତନ କରି ଆସୁଛନ୍ତି । ଏମିତି ଅନେକ ଇତିହାସ ରହିଥିବା ବେଳେ ଅନ୍ୟ ପଟେ ବଟ ବୃକ୍ଷ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସ୍ୱରୂପ ରୂପେ ପୁରାଣରେ ବର୍ଣ୍ଣିତ ହୋଇଛି । ତେବେ ଆମ ରାଜ୍ୟ ଓଡ଼ିଶାର ପ୍ରସିଦ୍ଧ ବଟ ବୃକ୍ଷ ମଧ୍ୟରେ କଳ୍ପବଟ, ଛତିଆ ବଟ, ସଖୀବଟ, ଉଦୟବଟ ସମେତ ବିଭିନ୍ନ ସ୍ଥାନରେ ଥିବା କେତେକ ପ୍ରଚ୍ଛଦରେ ରହିଛି ବିଭିନ୍ନ ଘଟଣାର ଅତୀତ କାହାଣୀ । ବୃକ୍ଷ ହିଁ ଜୀବନ କୁହାଯାଉଥିବା କଥାର ତାତ୍ପର୍ଯ୍ୟ ଆମେ ନିହାତି ଭାବରେ ଜାଣି ପାରିବା ଏକ ବୁଢ଼ା ବରଗଛର କାହାଣୀରୁ । ଗାଁ ମୁଣ୍ଡରେ ଛିଡ଼ା ହୋଇଥିବା ସେହି ବୁଢ଼ା ବରଗଛ ପିଢ଼ି ପିଢ଼ି ଧରି ଆମ ମଣିଷ ସମାଜକୁ ସେବା ଓ ସମର୍ପଣ ର ଅନେକ ଶିକ୍ଷା ଦେଇଥାଏ । ସେହି ବିଶାଳ ଚେର ଓ ଓହଳ ବିଶିଷ୍ଟ ବରଗଛଟି କେତେ ପଶୁପକ୍ଷୀଙ୍କ ବାସସ୍ଥଳୀ ସାଜିଥାଏ । ଗଛର କରୋଡରେ ପଶୁମାନେ ନିଜ ପାଇଁ ଏକ ସୁରକ୍ଷିତ ଘର କରି ବାସ କରିଥାନ୍ତି । ଗଛର ପ୍ରତି ଡାଳରେ ପକ୍ଷୀମାନେ ବସା ବାନ୍ଧି ରହିଥାନ୍ତି । ସକାଳ ଆଉ ସଞ୍ଜରେ ପକ୍ଷୀମାନଙ୍କ ସୁମଧୁର ସ୍ଵରରେ କମ୍ପି ଉଠିଥାଏ ଆଖ ପାଖ ଅଞ୍ଚଳ । ବର୍ଷା ହେଉ କି ଖରା ଛାତ୍ରଛାତ୍ରୀ ହୁଅନ୍ତୁ ଅବା ବାଟୋଇ ସମସ୍ତଙ୍କୁ ଆଶ୍ରୟ ଦେଉଥାଏ ସେହି ବୁଢ଼ା ବରଗଛ । କୃଷକ ଭାଇଟି ନିଜ ଚାଷ କାମ ସାରି ତାରି ମୂଳରେ ବସି ଥକା ମେଣ୍ଟାଉ ଥାଏ । ବନ୍ୟା ଆସିଲେ ପଶୁ ପକ୍ଷୀଙ୍କ ବସା ଭଳି ମଣିଷ ମାନେ ମଧ୍ୟ ସେହି ଗଛ ଉପରେ ମଞ୍ଚା ବାନ୍ଧି ସୁରକ୍ଷିତ ଭାବରେ ଜୀବନ ବଞ୍ଚାଉଥିଲେ । ପ୍ରଚଣ୍ଡ ଖରାର ତାତିକୁ ସହ୍ୟ କରିନପାରି ଗାଈଗୋରୁ ମାନେ ମଧ୍ୟ ବିଶ୍ରାମ ନିଅନ୍ତି ସେହି ଗଛ ମୂଳରେ । ମୋଟ ଉପରେ କହିବାକୁ ଗଲେ ସମସ୍ତଙ୍କ ଦୁଃଖସୁଖର ସାଥୀ ଭାବରେ ଛିଡ଼ା ହୋଇଥାଏ ସେହି ବୁଢ଼ା ବରଗଛ । ଦିନ ଥିଲା ଛକ ହେଉ କି ଗାଁ ମୁଣ୍ଡ ସବୁଠି ଦେଖିବାକୁ ମିଳୁଥିଲା ବୁଢ଼ା ବରଗଛଟିଏ । ସେହି ଗଛ ମୂଳେ କେତେ ଯାନିଯାତ୍ରା କେତେ ପର୍ବପର୍ବାଣୀ ପାଳନ ହେଉଥିଲା । କିନ୍ତୁ ଏବେ ଧୀରେ ଧୀରେ ଗାଁ ରୁ ହଜିବାକୁ ବସିଲାଣି ବରଗଛ । କିଛି ମରିଗଲାଣି ତ କିଛି ସ୍ଥାନରେ ଗାଁକୁ ପକ୍କା ସଡ଼କ ତିଆରି କରିବା ପାଇଁ ମୂଳରୁ ଉପାଡ଼ି ଦିଆଯାଉଥିବା ବେଳେ ସ୍ୱାର୍ଥ ପାଇଁ ମଣିଷ ଗଛକୁ ହାଣି ଘର ନିର୍ମାଣ କରୁଛି । ପୁଣି କଳକାରଖାନା ପାଇଁ ହଜାର ହଜାର ଗଛ କାଟି ଦେଇ ପରିବେଶ ଓ ପ୍ରକୃତି ସହ ସାଙ୍ଘାତିକ ଖେଳ ଖେଳି ନିଜ ସ୍ୱାର୍ଥ ହାସଲ କରୁଛି ମଣିଷ । କୁହାଯାଏ ୭ଟି ସୁଯୋଗ୍ୟ ସନ୍ତାନ ଜନ୍ମ କରିବା ଯାହା ଆଉ ଗୋଟେ ବରଗଛ ଲଗାଇବା ତାହା, କାରଣ ବରଗଛ ଶହ ଶହ ବର୍ଷ ବଞ୍ଚିଥାଏ । ବାୟୁ ମଣ୍ଡଳରେ ଅମ୍ଳଜାନ ବଢ଼ାଇବା ସହ ଅଙ୍ଗାରକାମ୍ଳର ପରିମାଣ କମାଇବାରେ ବରଗଛର ପ୍ରମୁଖ ଭୂମିକା ରହିଥାଏ । ଖାଲି ସେତିକି ନୁହେଁ ବର୍ଷା ଦିନରେ ମୃତ୍ତିକା କ୍ଷୟ ରୋକି ମୃତ୍ତିକା ସଂରକ୍ଷଣରେ ପ୍ରକୃତିକୁ ବେଶ ସାହାଯ୍ୟ କରିଥାଏ ଏହି ବିଶାଳ ବରଗଛ । ସମସ୍ତ ଜୀବଜଗତର ଅଭିଷ୍ଟ ସିଦ୍ଧି ସୂଚକ ଆଶିର୍ବାଦ ପ୍ରଦାନ କରୁଥିବାରୁ ବୋଧହୁଏ ତାର ନାମ ଶ୍ରେଷ୍ଠ ଅର୍ଥାତ ବରଗଛ ହୋଇଛି । ଅନ୍ୟ ପଟେ ଏହିଗଛ ଶୈଶବର ଖେଳ ଘର, ଯୌବନର ପସରା ଓ ବାର୍ଦ୍ଧକ୍ୟର ସାହାରା ହୋଇଥାଏ । ଯାହା ଆମକୁ ସେହି ସମୟକୁ ସ୍ମରଣ କରାଇଦିଏ । ଏଣୁ ଆମେ ସମସ୍ତେ ଭବିଷ୍ୟତ ଓ ଆଗାମୀ ପିଢ଼ି ପାଇଁ ଗୋଟାଏ ବରଗଛ ଲଗାଇବା । ଯାହାଦ୍ଵାରା ପରିବେଶ ସନ୍ତୁଳନ ଓ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହାୟ ହୋଇ ପାରିବ ।

ଉପସ୍ଥାପନା – ସୁଶାନ୍ତ ପଣ୍ଡା, ସାମ୍ବାଦିକ

Leave A Reply

Your email address will not be published.