jayashree

ନୂଆଁଖାଇ ଗଣପର୍ବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅନ୍ନ ରୂପୀ ବ୍ରହ୍ମକୁ ପରଂବ୍ରହ୍ମଙ୍କ ପାଖରେ ସମର୍ପଣ କରିବାର ଅନନ୍ୟ ଲୋକ ପରମ୍ପରାର ସମୁଜ୍ଜ୍ବଳ ନିଦର୍ଶନ ସ୍ବରୂପ ଆଜି ନୂଆଁଖାଇ ଗଣପର୍ବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । କାହିଁ କେତେ ଦିନରୁ ପଶ୍ଚିମ ଓଡିଶାରେ ହୋଇ ଆସୁଥିବା ଏହି କୃଷି ଭିତ୍ତିକ ଲୋକପର୍ବରେ ସୁବର୍ଣ୍ଣପୁର ଜିଲ୍ଲାର ଅଧିବାସୀ ଆଜି ମା’ ମାଟି ଓ ପ୍ରକୃତିର ଉପାସନା କରିଛନ୍ତି । ପ୍ରକୃତି ଦତ୍ତ ପ୍ରଥମ ଫସଲର ପହିଲା ବୀଜକୁ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନୈବେଦ୍ଯ କରି ପରିବାର ସହ ନୂଆଁ ଖାଇଛନ୍ତି ।
ଏହି ଅବସରରେ ରାଜ ରାଜୁଡ଼ା ଅମଳରୁ ସୁବର୍ଣ୍ଣପୁରର ସମଲେଇ ମନ୍ଦିରରୁ ସହରର ଦେବାଦେବୀଙ୍କ ପାଖକୁ ପାରମ୍ପାରିକ ପାହୁର ଭୋଗ ଯାଇଛି । ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀଙ୍କ ପାଖରେ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ପାହୁର ଭୋଗ ଲାଗିପରେ ଲୋକେ ନିଜ ଘରେ ପ୍ରସ୍ତୁତ ଛ’ତିଅଣ, ନଅ ଭଜା, ନାନା ପ୍ରକାର ପିଠାପଣା ଓ ବିଭିନ୍ନ ବ୍ୟଞନକୁ ଏକାଠି ପରିବାର ସହ ଖାଇଛନ୍ତି । ଦେବା ଦେବୀଙ୍କ ଦର୍ଶନ ପରେ ବଡମାନଙ୍କଠୁ ସାନମାନେ ମୁଣ୍ଡିଆ ମାରି ଆଶିଷ କାମନା କରିଛନ୍ତି । ଚଳିତ ବର୍ଷ କୋରନା କଟକଣା ଯୋଗୁଁ ସାମାଜିକ ଦୂରତ୍ବ ପଳନକୁ ମାନି ଜିଲ୍ଲାରେ ଛୁର୍, ନଡ଼ିଆ ଫିକା, ବାଟି, ଗଞ୍ଜପା ଆଦି ଖେଳ କିମ୍ବା କୌଣସି ଜୁହାରଭେଟ ଓ ନାଚଗୀତର ଆୟୋଜନ ହୋଇନାହିଁ । ପୂର୍ବ ବର୍ଷମାନଙ୍କର ଉତ୍ସାହ ନଥିଲେ ମଧ୍ୟ ଲୋକେ ହଜାର ହଜାର ବର୍ଷର ପରମ୍ପରାକୁ ବଂଚାଇ ରଖି ନୂଆଁଖାଇ ଗଣପର୍ବକୁ ପାରମ୍ପରିକ ରିତିରେ ପାଳନ କରିଛନ୍ତି ।

Leave A Reply

Your email address will not be published.