jayashree

ପ୍ରାପ୍ତି ‌ସ୍ୱୀକାର : କବି ଆନନ୍ଦ ଚନ୍ଦ୍ର ସାହୁଙ୍କ କବିତା ସଂକଳନ “ଗଦା ଗଦା ଜୀବନ”

ମୀନକେତନ ବାରଲେବଡ଼ିଆ

“କବିତା ଖୁବ୍ ଅଭିମାନିନୀ । ତମେ ସଜବାଜ ହେଇଥିବ ଅଭିସାର ପାଇଁ, ସିଏ ଛୁଆଁଧରା ଦେବନାହିଁ । ବ୍ୟସ୍ତତା ଓ କୋଳାହଳ ଭିତରେ କବିତା ଲେଖିହୁଏ ନାହିଁ। କବିତା ଲେଖିବା ପାଇଁ ନୀରବତା ଓ ସ୍ଥିରତା ଦରକାର।” – ଏତକ କହୁ କହୁ କବି ଆନନ୍ଦ ଚନ୍ଦ୍ର ସାହୁ ମୋ’ ହାତକୁ ବଢେଇ ଦେଇଥିଲେ ତାଙ୍କ ସଦ୍ୟ ପ୍ରକାଶିତ କବିତା ସଂକଳନଟି, ଗତ ଶନିବାର ଦିନ ତାଙ୍କ ବଲାଙ୍ଗିରସ୍ଥିତ ବାସଭବନ “କାବ୍ୟଗୁମ୍ଫା’ ଠାରେ ।

ଶହେଟି କବିତାର ଏଇ ସଂକଳନ । କବିତାଗୁଡ଼ିକ ଏତେ ଛୁଇଁଲା ଯେ ଦୁଇଦିନରେ ପଢିଦେଲି ଶହେଟି କବିତା । ପୁସ୍ତକର ଆଲୋଚନା କରିବା ମୋ ଜ୍ଞାନର ପରିସୀମା ବାହାରେ । ଏଣୁ କବିତାର ଜଣେ ଭାବଗ୍ରାହୀ ପାଠକ ଭାବରେ ଭଲ ଲାଗିଥିବା କିଛି କବିତାଂଶ ଏଠାରେ ଉପସ୍ଥାପନ କରୁଛି ।

କବିତା ହେଉଛି ମନନଶୀଳ ଅବଧାରଣା । ସାଧାରଣ ମଣିଷ କୌଣସି ବସ୍ତୁକୁ ସ୍ଥୁଳ ଚକ୍ଷୁରେ ଦେଖିଲା ବେଳେ କବିମାନେ ସୂକ୍ଷ୍ମ ଚକ୍ଷୁରେ ଦର୍ଶନ କରିଥାନ୍ତି । କୌଣସି ବିଷୟକୁ କବି ସିଧାସଳଖ ପ୍ରକାଶ ନକରି ବୁଲେଇ ବଙ୍କେଇ ବା ବ୍ୟଞ୍ଜନା ଦେଇ ପ୍ରକାଶ କରିଥାଏ । ବେଳେବବେଳେ କିଛି କବିତା ପାଠକ ପାଇଁ ଦୁର୍ବୋଧ୍ୟ ମନେ ହୁଏ । କିନ୍ତୁ ଏଇ ସଂକଳନର କବିତା ସବୁ ସରଳ ଓ ସାବଲୀଳ । ସହଜରେ ବୋଧଗମ୍ୟ । ଅନେକ କଥା ଅଛି, ଯାହା ଲାଗିବ ନିଜ ଜୀବନରେ ଘଟି ଯାଇଛି ବା କାବ୍ୟ ନାୟକ/ ନାୟିକା ସହ ଏଇଠି କେଉଁଠି ଭେଟ ହୋଇଛି । ବେଳେବେଳେ ଲାଗେ, ଏଇଟା ମୋ କଥା ତ କୁହାଯାଇଛି । ଅତି ସାଧାରଣ ଲୋକଙ୍କ କଥା ଅନେକ କବିତାରେ କୁହାଯାଇଛି । ଏଣୁ କବିତାସବୁ ମତେ ଆହୁରି ଆଛନ୍ନ କରିଦେଲା । ଆସନ୍ତୁ କବିଙ୍କ କିଛି କବିତାଂଶ ପାଠ କରିବା ଓ କ୍ଷଣିକ ପାଇଁ କବିତାମୟ ହୋଇଯିବା ।

ଭୋକର ବିକଳତା
ଆବୋରି ନେଇଛି ସାରାଟା ସକାଳ
ମାଲିକ ପାଖରେ ବନ୍ଧା ପଡ଼ିଛି
ତମାମ୍ ଖରାବେଳ
ସଂଧ୍ୟାକୁ ମାଡି ବସିଛି
ମ୍ୟାଲେରିଆ ଓ ମଶାଙ୍କ ଲୁଚକାଳି ଖେଳ
ତୁମେ ତ’ ଜାଣ
ରାତି କାହାରି ନୁହଁ, ଖାସ୍ ଅନ୍ଧାରର ।
ଞ୍ଚଞ୍ଚଞ୍ଚଞ୍ଚଞ୍ଚ
ଏବେ ଜଙ୍ଗଲରେ ହିଂସ୍ରଜନ୍ତୁ ନାହାନ୍ତି ସିନା
ମୂଲ୍ୟବାନ ଗଛ ଓ ଶୀକାର ଖୋଜି ଖୋଜି
ନୟାନ୍ତ ହୋଇ ପଡ଼ିଥିବା ମଣିଷମାନେ
ହିଂସ୍ରଙ୍କଠୁ ବି ଖୁବ୍ ଖତରନାକ୍ ।
(କେଉଁଠିକୁ ଯିବ ସନାତନ)

ୟେ’ ପରା ସିଏ
ଯିଏ ନିଜ ସୁଖ ପାଇଁ
ଅନ୍ୟ ଲାଗି ହୋଇପାରେ
ଅକ୍ଳେଷରେ ବିଷ
ୟା’ ନାଁ ମଣିଷ… ମଣିଷ । ( ମଣିଷ)

ନୀତି ଆଦର୍ଶର ମଲ୍ଲିମାଳରେ
ଆପାଦମସ୍ତକ
ବୁଡ଼ି ଯାଇଥିବା ମଣିଷ
କାଲି ସକାଳୁ ହୁଏତ’
ମିଛଟାରେ ପ୍ରେସ୍ ଲେଖାଥିବା
ଦାମୀ କରରେ
ବୋଝେ ଅନ୍ଧାର
ଚଲାଣ କରୁଥିବା ବେଳେ
ଧରା ପଡ଼ିପାରେ ପୁଲିସ୍ ହାତରେ ।
(ଗଦା ଗଦା ଜୀବନ)

ହେଇ, କିଛି ଲୋକ
ପହଁରୁଛନ୍ତି ମାଛ ହେଇ
ନର୍ଦ୍ଦମା ପାଣିରେ
କିଛି ଲୋକ ପୁଣି
ବନିଶୀ କଣ୍ଟା ପକେଇ ଠିଆ
ନର୍ଦ୍ଦମା କଡ଼ରେ, ବଡ଼ ବହପରେ।
(କେଉଁଠିକି ପହଞ୍ଚି ଆସିଲି ମୁଁ)

ହେ’ ଭାଇନା
କେତେ ଦେଖୁଛୁ ଆଇନା
ଆକାଶରେ ଜହ୍ନ ଦେଖି
ଥେଇ ଥେଇ ନାଚୁଛୁ ଯେ
କହି ପାରିବୁ ଜହ୍ନର ଠିକଣା ।
(ଏଇ ମନ)

ଭଲ ପାଇବାର ଋତୁକୁ
ଭିଡି ରଖ ଛାତିରେ
ଯେମିତି ଆକାଶକୁ ଭିଡିଥାଏ ମାଟି
ଅନ୍ଧାର ଓ ପଙ୍କର ଭିଡ
ହାଲୁକା ବି ହୋଇଯାଇ ପାରେ ।
(ସବୁ ସ୍ବପ୍ନକୁ ସୁରକ୍ଷା ଦିଅ)

ସାମାଜିକ ସିଂହାସନରେ ବସି
ହୁକୁମ୍ ଉଦଗାରିଥିବା ସେଇ ଲୋକଟି କ’ଣ
ଲଗେଇ ଥିଲା ଏ ନିଆଁ
ତମ ବେଲଗାମ୍ ସମାଜରେ ଅସ୍ପୃଶ୍ୟ, ଅଛୁଆଁ ।
(ସେଇ ନିଆଁ)

ଦେହ ପାଇଁ ଲୋସନ୍ ଫୋସନ୍
ମୁହଁ ପାଇଁ ନାନାଦି ମେକଅପ୍
ସପନ ସଜେଇବାକୁ ଗଦା ଗଦା ମିଛ
କି ନିଜର ସ୍ଥିତିକୁ ବଳିଷ୍ଠ କରିବାକୁ
ମଜବୁତ୍ ଟାଉଟରୀ
କିଛିର ବି ଆବଶ୍ୟକତା ନଥିବ ମୋଟେ ।
(ଆମ ଗାଁ)

ତୋର ସାତ ପୁରୁଷଙ୍କ ଖପୁରୀରେ
କିଏ ସବୁ ଲେଖିଥିଲେ ଭାଗ୍ୟ
କେଉଁମାନେ ଉଜାଡ଼ି ଦେଲେ ଜଙ୍ଗଲ
ମଚକି ଦେଲେ
ଚିକମିକ୍ ମାଛ ପରି ମଣିଷଙ୍କ ମନ
ବୁଝି ପାରୁନୁ ।
(ଆରମ୍ଭ କର କହିବା)

କେଉଁ ସୁଖ ପାଇଁ
ଏତେ ଆତୁର ଯେ
ଯାହା ଆସେ ଓ ଧରୁ ଧରୁ
ଉଭେଇ ଯାଏ।
(ସୁଖ)

ସଭିଏଁ ପ୍ରାର୍ଥନା କର
ନ ଭାଙ୍ଗୁ କାହାରି ବି ଘର
ଘର ହିଁ ସଫଳ ସ୍ଫୁରଣର
ଅସଲ୍ ଚେର ।
(ଘର)

ତମର କୁଢ କୁଢ ଭୁରକୁଟିକୁ
କିଏ ପଚାରେ ହୋ
ଚଉକିର ଖୁରା ସମ୍ଭାଳୁ ସମ୍ଭାଳୁ ତ
ସରି ଯାଉଛି ତୁମର ବେଳ, ବଳ
ଜୀବନ ଅଣ୍ଡାଳୁଥିବା ମଣିଷ ଆଡ଼କୁ
ଆଉ ଚାହିଁବାକୁ ତମର ତର କାହିଁ ?
(କାହାର କ’ଣ କହିବାର ଅଛି)

ୟେ’ କଉଁଠି ନୂଆଁ କଥା କିହୋ ମହାଜନ
ଲୁଟିବାର ବହପ ତ’ ତମ ମନ କିଆରୀରେ
ସଦା ଛନଛନ
ତମ ବିଷ ବାହୁ ତଳେ
କେବେ କ’ଣ ଖୋଜା ଯାଇପାରେ ପରିତ୍ରାଣ ?
(ଜିଇଁଛୁ ନିଇତି ଖଟି)
■♤■

ଅନୁଗୁଳ, ମୋ.ନଂ. ୯୪୩୭୧୩୨୬୬୨

Leave A Reply

Your email address will not be published.