ଶରଦିନ୍ଦୁ ଭୂଷଣ ହୋତା
ଅଭ୍ୟାସ ବହୁତ ପ୍ରଭାବଶାଳୀ । ତା’ କବଳରେ ଥରେ ପଡ଼ିଗଲେ ମୁକୁଳିବା ମୁସ୍କୁଲ । ନ ପାରିଲେ ଅବସ୍ଥା ଅଣାୟତ୍ତ । ତେଣିକି ସେ ନାକରେ ଦଉଡ଼ି ଦେଇ ଘୋଷାଡେ଼ । ହାତର ପାଂଚ କରି ଥରେ ମଣିଷକୁ କାବୁ କରିନେଲେ ଯାହା ମନ ତାହା କରାଇନିଏ । ଅଭ୍ୟାସ ଯଦି ଅଣାୟତ୍ତ ରହିଯାଏ ପରିଣାମରେ ସିଏ ଏକ ଗ୍ରନ୍ଥି ବନିଯାଏ । କ୍ରମଶଃ ଅସ୍ତିତ୍ୱ ଭୂମିରୁ ସାର ଶୋଷି ସଂସ୍କାର ହୋଇଯାଏ । ଅନ୍ତର୍ନିହିତ ସଂସ୍କାର ସଂସ୍ଥିତି ହୋଇଯାଏ ଜୀବନର ନିୟନ୍ତା ଓ ନିୟାମକ । ଦେଖାଯାଏ ଯେ ଜଣକର ସଂସ୍କାର ସଂସ୍ଥିତି ଯେଭଳି ସ୍ୱଭାବତଃ ସେ ମଣିଷ ବି ସେଭଳି । ସଦଭ୍ୟାସର ପ୍ରଭାବରେ ବହୁ ସାଧାରଣ ଜୀବନ ସ୍ୱଚ୍ଛନ୍ଦରେ ବଂଚିବର୍ତ୍ତି ରହି ପାରିଥିବା ବେଳେ ବଦଭ୍ୟାସର ଶିକାର ବନି ଅନେକ ସମ୍ଭାବନାମୟ ଜୀବନ ବରବାଦ ହୋଇଚାଲିଛି ।
ଅଭ୍ୟସ୍ତ ସଂସ୍କାର ସ୍ୱଭାବତଃ ବହୁତ ଗଭୀର ଓ ସଂକ୍ରମଣ ସର୍ବଦିଗସ୍ପର୍ଶୀ । ଆମର ବୁଝିବା, ଚାହିଁବା, କରିବା ସବୁକିଛି ତାହାଦ୍ୱାରା ସଂକ୍ରମିତ ହୁଏ । ସବୁକିଛିର ବାଗ ଦାଇସ ସେ ହିଁ ନିର୍ଦ୍ଧାରଣ କରେ । ଅଭ୍ୟସ୍ତ ସଂସ୍କାର ଯେମିତି ବୁଝାଇବ ମଣିଷ ସେମିତି ବୁଝିବ । ଯେଉଁ ଚାହିଦା ତିଆରିବ, ସେଭଳି ଚାହିଁବା ହେବ, ଯେଉଁ ଭାବରେ ଯାହା କରିବାକୁ ମଂଜୁରୀ ଦେବ ସେତକ ସେଇଭଳିଆ କରିବାକୁ ପଡ଼ିବ । ସୁଖ ଦୁଃଖ, ପାପ ପୁଣ୍ୟ, ଭଲ ମନ୍ଦ, ଶୁଭ ଅଶୁଭ ଇତ୍ୟାଦି ପାଇଁ ବୋଧଭଙ୍ଗୀର ଛାଂଚ ସିଏ ହିଁ ଗଢ଼ିବ । ମଣିଷ ଜୀବନ କେବଳ ସେଇ ଛାଂଚରେ ସୀମା ସରହଦ ମଧ୍ୟରେ ଅନୁକୂଳିତ ହୋଇ ଘଟିଚାଲିବ । ଇଂଚେ ରଂଚେ ବି ଏପଟ ସେପଟ ହେବାର ଜୁ’ ନାହିଁ ।
ଅଭ୍ୟସ୍ତ ସଂସ୍କାର ବଦ୍ଧମୂଳ ବୋଧଭଙ୍ଗୀର ଏ ଯେଉଁ ଛାଂଚ ଗୁଡ଼ିକ ବନାଏ ଆଧୁନିକ ମନସ୍ତତ୍ତ୍ୱର ଭାଷାରେ ତାକୁ – Confirmation bias ବୋଲି କୁହାଯାଏ । Confirmation bias ମଣିଷର ନିଟୋଳ ନିର୍ମଳ ସାମଗ୍ରିକ ଜୀବନକୁ ମୋଡ଼ିମାଡ଼ି, ବଙ୍କେଇ ବାଆଁରେଇ ଗୋଟେ ଅଲଗା ଧିସା ଧରାଏ । ତା’ ବାଗରେ ସମଗ୍ର ଅସ୍ତିତ୍ୱକୁ ପାଗ କରେ ।
ଅଭ୍ୟସ୍ତ ସଂସ୍କାର ବା Confirmation bias ଏଭଳି ଏକ ମାନସିକ ଭାବ ଦଶା, ଯା’ର ପ୍ରବଣତା ବଡ଼ ବିଚିତ୍ର । ସତ୍ୟକୁ ଖୋଜିବା ଓ ଧାରଣ କରିବା ଅପେକ୍ଷା ନିଜର ଧାରଣା ସହିତ ସଙ୍ଗତିପୂର୍ଣ୍ଣ ତଥ୍ୟଟିକୁ ହିଁ ସେ ସର୍ବାଗ୍ରେ ଲୋଡ଼ି ପକାଏ । ମିଳିଯିବା ମାତ୍ରକେ ତାହା ହିଁ ହୋଇଯାଏ ଚେତନାର ଗଣ୍ଠିଧନ । ଅନ୍ର ଯେତେସବୁ ବିପରୀତମୁଖୀ ତଥ୍ୟ ବା ତତ୍ତ୍ୱ ଗୁଡ଼ିକ ଅଦରକାରୀ ଏବଂ ସେଇ କାରଣରୁ ଜୀବନର କର୍ମସୂଚୀରୁ ବହିଷ୍କୃତ ।
ମାରାତ୍ମକ କଥାଟି ହେଉଛି ଯେ ଏବେ ଗବେଷଣା ଜଣାଇ ଦେଲାଣି ମଣିଷ ମାତ୍ରକେ କେହି ଏଇ ସଂକ୍ରମଣରୁ ମୁକ୍ତ ନାହୁଁ । ଇଏ ଏକ ଚେତନାଗତ ରୁଗ୍ଣତା ଏବଂ ଅଳ୍ପ ବେଶୀ ତହିଁରେ ସମସ୍ତେ କବଳିତ ।
ଚେତନାଗତ ଏହି ରୁଗ୍ଣତା ଏବଂ ସଂକଟ ମୁକ୍ତି ମାନବର ବିବର୍ତ୍ତନୀ ଯାତ୍ରା ପଥରେ ପରବର୍ତ୍ତି ଆହ୍ୱାନ । ଅବଶ୍ୟ ପରମେଶ୍ୱରଙ୍କ ମଙ୍ଗଳ ବିଧାନରେ ତା’ ପାଇଁ ତ୍ରାଣକାରୀ ପ୍ରେରଣା ଓ ପ୍ରତିଶୃତି ସେଇ ମଣିଷ ଭିତରେ ହିଁ ଉପଲବ୍ଧ । ସେଥିପାଇଁ ପ୍ରାଥମିକ ପ୍ରସ୍ତୁତି ହେଉଛି କୌଣସି ଆପାତ ଉପଚାର କରିଦେଇ ସଂକଟକୁ ଅଣଦେଖା ନ କରିବା । ସିଧା ସଳଖ ସଂକଟକୁ ସାମନା କରି କାର୍ଯ୍ୟ କାରଣ ସହିତ ତାର ସ୍ୱରୂପକୁ ଚିହ୍ନିବା । ସେଇ ଚିହ୍ନରା ପଣ ହିଁ ନିରାକରଣର ପଥ ଖୋଲିବ । ସେଇ ପଥ ଧରି ମଣିଷ ଜୀବନ ଚଳି ପାରିଲେ ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥିବା ସତ୍ୟ ଉନ୍ମୋଚିତ ହେବ ।
ଚିହ୍ନରା ପଣଟି ଆମ ଅସ୍ତିତ୍ୱ ଭଣ୍ଡାରର କେଉଁ ଖୋପରେ ଅଛି ଜାଣିବାକୁ ହେବ । ସିଏ ସବୁବେଳେ ଥାଏ ମଣିଷର ଆଧ୍ୟାତ୍ମିକତା ଭିତରେ । ସୃଜନଶୀଳ ଆଧ୍ୟାତ୍ମିକତା ହିଁ ଆମକୁ ବାଟ କଢେ଼ଇ ନିଏ ଆମର ଗହନତମ ଭିତରକୁ ଏବଂ ତାକୁ ସିଧା ଅନାଇ ପାରିବାର ଯୋଗ୍ୟତା ମଂଜୁର କରେ । ସିଧା ଅନାଇ ପାରିଲେ ଚିହ୍ନଟ କରିପାରିବା । ଚିହ୍ଟ କରି ପାରିଲେ ସ୍ୱରୂପତଃ ସବୁକିଛିକୁ ଜାଣି ପାରିବା । ସେତେବେଳେ ଆମକୁ ଦାଉ ସାଧି ହନ୍ତସନ୍ତ କରୁଥିବା ଅଭ୍ୟସ୍ତ ସଂସ୍କାରକୁ ହାଡେ଼ ହାଡେ଼ ଚିହ୍ନି ପାରିବା । ଚିହ୍ନା ପଡ଼ିଗଲେ ତାକୁ ନିଶ୍ଚିହ୍ନ କରିବାର କୌଶଳ ଧରାଦେବ ।
ଅଭ୍ୟସ୍ତ ସଂସ୍କାରର ହାବୁକା ବାଜି ଆମର ଆଧ୍ୟାତ୍ମିକତା ମଧ୍ୟ ବର୍ତ୍ତମାନ ରୁଗ୍ଣ ଓ ବିପର୍ଯ୍ୟସ୍ତ । କର୍ମକାଣ୍ଡୀ ଆଚାର ସର୍ବସ୍ୱ ଓ ଅନୁଷ୍ଠାନିକତା ପୀଡ଼ିତ ପ୍ରଚଳିତ କିସମର ଆଧ୍ୟାତ୍ମିକତାରେ କାମ ଚଳିବ ନାହିଁ । ତାକୁ କାମରେ ଲଗାଇବା ଅର୍ଥ ଯେଉଁ ସୋରିଷରେ ଡାହାଣୀ ଝଡ଼ାଯିବ, ସେଇ ସୋରିଶକୁ ହିଁ ଡାହାଣୀ ଲାଗିଥିବା ଭଳି ହେବ । ପରିଣାମରେ ତାହା ଆହୁରି ବିକୃତି ଓ ବିଫଳତା ଆଣିବ । କାମରେ ଲାଗି ପାରିବା ଆଧ୍ୟାତ୍ମିକତା ସ୍ୱାଭବ ଗୁଣେ ସୃଜନଶୀଳ ସ ଅଭ୍ୟୁଦୟୀ ହେବ ।
ଅସଲ ଆଧ୍ୟାତ୍ମକତା ମଣିଷ ଭିତରେ ଏକ ତ୍ରାଣକାରୀ ଶକ୍ତିକୁ ଜନ୍ମଦିଏ । ତାର ଛୁଆଁ ବାଜିଲେ ନିତ୍ୟ ନୈମିତ୍ତିକ ଘଷରା ଓ ଦଦରା ଜୀବନ ଯାପନର ରୂପାନ୍ତର ହୁଏ । ଏଯାବତ୍ ଅଣଦେଖା କରିଥିବା କାରଣରୁ ଆମ ଭିତରେ ହିଁ ମୁହଁମାଡି ଜାକିଜୁକି ହୋଇ ରହିଥିବା ପ୍ରଚଣ୍ଡ ଚୈତ୍ୟଶକ୍ତି ଓ ତାର ପରାକ୍ରମ ବାହାରକୁ ବାହାରି ଆସେ । ରୁଗ୍ଣତା ଦୂର ହୁଏ । ସଂକଟ ଟଳେ । ମଣିଷକୁ ତାର ଯଥାଯୋଗ୍ୟ ମର୍ଯ୍ୟାଦା ଓ ମହିମା ଫେରସ୍ତ ମିଳେ । ଅଭ୍ୟସ୍ତ ସଂସ୍କାର ଅସ୍ତିତ୍ୱ ଗ୍ରାମ ଉପରେ ନିକ୍ଷେପ କରିଥିବା ସମସ୍ତ ହଳାହଳ ଓ କୋଳାହଳ ଶାନ୍ତ ହୁଏ । ଜାଗ୍ରତ ଓ ଉଦ୍ବୋଧିତ ଚୈତ୍ୟଶକ୍ତି ହିଁ ସଂକଟମୁକ୍ତିର ଚାବିକାଠି । ତେଣୁ ଯଥାର୍ଥରେ କୁହାଯାଇଛି – ଅସ୍ତିତ୍ୱର ଆକାଂକ୍ଷିତ ମଙ୍ଗଳ ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । କଥାଟି ସମସ୍ତଙ୍କ ପାଇଁ ପ୍ରଣିଧାନ ଯୋଗ୍ୟ, କହିବା ବାହୁଲ୍ୟ ।
ଭୁବନେଶ୍ୱର,
ମୋ.ନଂ.୯୯୩୭୭୪୦୬୭୬