ଘୁମୁସର ଜିଲ୍ଲା ଗଠନ ଦାବୀକୁ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସମର୍ଥନ

  • ୨୭ ତାରିଖ ଭଞ୍ଜନଗର ବନ୍ଦ ଡ଼ାକରାକୁ ସଫଳ ପାଇଁ ନିବେଦନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୀର୍ଘ ତିନି ଦଶନ୍ଧି ଧରି ୧୯୯୨ ମସିହାରେ ରାଜ୍ୟର ୧୩ଟି ଜିଲ୍ଲାରୁ ୩୦ ଜିଲ୍ଲା ଗଠନ ପାଇଁ ନିଷ୍ପତ୍ତି ନେଇଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜ ଜନ୍ମସ୍ଥାନକୁ ଜିଲ୍ଲା ଗଠନ ପ୍ରକ୍ରିୟାରେ ସାମିଲ କରିନଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୀର୍ଘ ତିନି ଦଶନ୍ଧି ଧରି ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ପାଇଁ ପ୍ରୟାସ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିତାପର ବିଷୟ ବୋଲି ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଆବାହକ ରବି ରଥ କ୍ଷୋଭ ପ୍ରକାଶ କରିଛନ୍ତି । ଭଞ୍ଜନଗର ବାର ଆସୋସିଏସନ ଶ୍ରୀ ରଥ କ୍ରିୟାନୁଷ୍ଠାନ କମିଟିର ଆବାହକ ସୋମନାଥ ନାୟକ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରି ଘୁମୁସର ଜିଲ୍ଲା ପାଇଁ ସମସ୍ତ ଭିତ୍ତିଭୂମି ଥିବା ଭଞ୍ଜନଗର ସବଡିଭିଜନକୁ ନେଇ ଜିଲ୍ଲା ଗଠନକୁ ସମର୍ଥନ କରିଥିଲେ । ଆଗାମୀ ୨୭ ତାରିଖରେ ଭଞ୍ଜନଗର ବନ୍ଦ ଡ଼ାକରାକୁ ସଫଳ କରିବା ପାଇଁ ଏହି ଉପଖଣ୍ଡର ୮ଟି ବ୍ଲକ, ୫ଟି ଏନଏସିର ଜନସାଧାରଣ ସମର୍ଥନ କରିବାକୁ ଶ୍ରୀ ରଥ ନିବେଦନ କରିଛନ୍ତି । ଭଞ୍ଜନଗର ପାରିପାର୍ଶ୍ବିକ ଅଞ୍ଚଳର ସାଧାରଣ ଜନତାଙ୍କୁ ଉଚିତ ନ୍ୟାୟ ଓ ସେବା ପାଇଁ ହିଁ ଜିଲ୍ଲା ଗଠନ ଅପରିହାର୍ଯ୍ୟ ହୋଇପଡ଼ିଛି ।

ଆୟୋଜିତ ବୈଠକରେ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ନ ଦେଲେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ବୈଠକରେ ବରିଷ୍ଠ ଆଡ଼ଭୋକେଟ ଦଣ୍ଡପାଣି ସ୍ୱାଇଁ, ଭଞ୍ଜନଗର ନବ ନିର୍ବାଚିତ ସଭାପତି ଅଭିମନ୍ୟୁ ଗୌଡ଼, ଆଡ଼ଭୋକେଟ ଗୋପାଳ ବିଷୋୟୀ, ପ୍ରଦ୍ୟୁମ୍ନ ନାୟକ, ସୁଶାନ୍ତ ତ୍ରିପାଠୀ, ନଳିନୀପ୍ରଭା ଦାଶ ପ୍ରମୁଖ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.