କଂଗ୍ରେସର ବନ୍ୟା ସହାୟତା ଓ ସମନ୍ୱୟ କମିଟି ଗଠିତ : ନରସିଂହଙ୍କ ଅଧ୍ୟକ୍ଷତାରେ ହେଲା ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ପୂର୍ବରୁ ଓଡିଶାରେ ହୋଇଯାଇଥିବା ପ୍ରବଳ ବନ୍ୟା ଓ ତା ଦ୍ୱାରା ଲୋକେ ସମ୍ମୁଖୀନ ହୋଇଥିବା କ୍ଷୟ କ୍ଷତି ଭରଣା, ବନ୍ୟା ପ୍ରପିଡିତଙ୍କୁ ସହାୟତା ତଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ କିପରି ସାହାଯ୍ୟ କରୁଛନ୍ତି ତଥା ଲୋକଙ୍କ ପାଖରେ କଂଗ୍ରେସ ଦଳ ତରଫରୁ ସାହାଯ୍ୟ ସହଯୋଗ କିପରି ହୋଇପାରିବ ସେ ଉପରେ ଏକ ରାଜ୍ୟସ୍ତରୀୟ ବନ୍ୟା ସହାୟତା ସମନ୍ୱୟ କମିଟି ଅଖିଳ ଭାରତୀୟ କଂଗ୍ରେସ କମିଟି ଗଠନ କରିଛି । କମିଟିର ଅଧ୍ୟକ୍ଷ ଦଳର ବରିଷ୍ଠ ବିଧାୟକ ତଥା ଓଡିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କରାଯାଇଥିବା ବେଳେ, ଏହି କମିଟିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ, ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ତିନି ଜଣ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଏବଂ ମହମ୍ମଦ ମୁକିମ୍‌ଙ୍କୁ ରଖାଯାଇଛି । କରୋନା କଟକଣା ଯୋଗୁଁ କମିଟି ପ୍ରଥମ ବୈଠକ ଅନ୍ଲାଇନ ଜୁମ୍ ଆପ୍‌ ମାଧ୍ୟମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବନ୍ୟାକୁ ନେଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତାର ଆଭିମୁଖ୍ୟ, ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବନ୍ୟାଞ୍ଚଳଙ୍କୁ କଂଗ୍ରେସ ଦଳ ତରଫରୁ ବିଭିନ୍ନ ସବ୍ କମିଟିର ଗସ୍ତ ମାଧ୍ୟମରେ ଲୋକେ କିପରି ସହାୟତା ପାଇପାରିବେ ସେ ଉପରେ ଆଲୋଚନା ହୋଇଥିଲା । ଏଥିପାଇଁ ରାଜ୍ୟରେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ୨୩ଟି ଜିଲ୍ଲା ପାଇଁ ଉପ-କମିଟି ଗଠିତ ହୋଇଥିଲା । ବିଧାୟକ ମହମ୍ମଦ ମୁକିମ୍ କଟକ ଓ ଢେଙ୍କାନାଲ ର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ତାରା ବାହିନୀପତି ମୟୁରଭଞ୍ଜ, ବାଲେଶ୍ୱର, କେଉଁଝର ଏବଂ ଗଜପତି ଜିଲ୍ଲା, ଭକ୍ତଚରଣ ଦାସ ଏବଂ ପ୍ରଦୀପ ମାଝି ନବରଂଗପୁର, ମାଲକାନଗିରି, ନୁଆଁପଡା, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ ଜିଲ୍ଲା, ପିସିସି ସଭାପତି ଶରତ ପଟ୍ଟନାୟକ ନୟାଗଡ, ସମ୍ବଲପୁର, ଅନୁଗୁଲ ଜିଲ୍ଲା, ବିଧାୟକ ସୁରେଶ ରାଉତରାୟ, ଯାଜପୁର, ଜଗତସିଂପୁର ଏବଂ କେନ୍ଦ୍ରାପଡା ଜିଲ୍ଲା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଏବଂ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ସୋନପୁର ଏବଂ ବୌଦ୍ଧ ଜିଲ୍ଲା ଗସ୍ତ କରି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକ ତଥା ଜିଲ୍ଲାପାଳଙ୍କୁ ଭେଟି ବନ୍ୟା କ୍ଷୟକ୍ଷତି ଏବଂ ଲୋକେ ପାଉଥିବା କ୍ଷତି ଭରଣା ତଥା ଆଗକୁ କଣ ସାହାଯ୍ୟ କରାଯାଇ ପାରିବ, ସେ ଉପରେ ସବିଶେଷ ଆଲୋଚନା କରିବେ । ପରେ ୭ଦିନ ଭିତରେ ଏ ସମସ୍ତ ଜିଲ୍ଲାରୁ ଦାୟିତ୍ୱରେ ଥିବା ନେତୃବୃନ୍ଦ ଏକ ସବିଶେଷ ବିବରଣୀ ତିଆରି କରି ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଅଧ୍ୟକ୍ଷ ନିଜେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମାଗିବେ ଏବଂ ତାହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହିତ ଆଲୋଚନା କରି ବନ୍ୟା ପ୍ରପୀଡ଼ିତତ ଜଣେ ବି ଲୋକ ଯେପରି ବନ୍ୟା ସହାୟତାରୁ ବଂଚିତ ନ ହେବ ସେ ଉପରେ କାର୍ୟ୍ୟକ୍ରମ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଅନଲାଇନ ମାଧ୍ୟମରେ ଏହି ବୈଠକରେ ସବ କମିଟି ଦ୍ୱାରା ପ୍ରସ୍ତୁତି କରାଯାଇଥିବା ଜିଲ୍ଲାୱାରି ରିପୋର୍ଟ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯିବ ଏବଂ ଅଧ୍ୟକ୍ଷ ନିଜେ ଏହାର ଏକ ସବିଶେଷ ସମ୍ମିଳିତ ରିପୋର୍ଟ ପିସିସି ଏବଂ ଏଆଇସିସିଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହେବା ସହ ରିପୋର୍ଟ ଅନୁଯାୟୀ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଖରେ ଦଳ ତରଫରୁ ବନ୍ୟାଞ୍ଚଳକୁ ସହଯୋଗ ପହଞ୍ଚାଇବା ପାଇଁ କୁହାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.