ଚୌଦ୍ୱାର ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଚୌଦ୍ୱାର : ଚୌଦ୍ୱାର ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍‌ ତରଫରୁ ୧ଲକ୍ଷ ୬୫ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଇମ୍ଫାର ମାନବ ସମ୍ବଳ ଜିଏମ୍‌ଜି ଶାରଦା ପ୍ରସାଦ ରାଓ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟ କମିଟିର ସଭାପତି ସ୍ୱପ୍ନା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇମ୍ଫାର ଲୋକ ସମ୍ପର୍କ ଡିଜିଏମ୍‌ ଧୃବ ଚରଣ ରାଉତ, ଟାଙ୍ଗୀ- ଚୌଦ୍ୱାର ବ୍ଲକ ଶିକ୍ଷାଧିକାରୀ ସରୋଜିନୀ ସାହୁ, ଅରୁନ୍ଧତୀ ମିଶ୍ର, ସିଆରସି ରାଜେଶ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପ ବିଦ୍ୟାଳୟରେ ଥିବା ପାନୀୟ ଜଳ ସମସ୍ୟାକୁ ସମାଧାନ କରି ପାରିବ ବୋଲି ପ୍ରକାଶ କରିବା ସହିତ ଭଲପାଠ ପଢ଼ି ସୁନାଗରିକ ହୋଇ ଦେଶ ସେବା କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଚଳିତ ଦଶମ ପରୀକ୍ଷାରେ ଏ-୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଚାର୍ଯ୍ୟ ବାଣୀ ଭୂଷଣ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପରିଚାଳନା କମିଟି ସମ୍ପାଦକ ଅମର କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ସମିତିର ସମସ୍ତ ସଦସ୍ୟ, ଗୁରୁଜୀ ଓ ଗୁରୁମା ଏବଂ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.