pakka

ଯଶୋବନ୍ତଙ୍କ ଅଭିଯୋଗ ପରେ ଉଦ୍ଧାର ହେଲେ ଚାରି ଅନାଥ ଭାଇ ଭଉଣୀ

bbehera

ନବରଙ୍ଗପୁର, (କେପିଏନ୍‌ଏସ୍‌) : ଅଜଣା ରୋଗ ଚାରି ଶିଶୁଙ୍କୁ ଅନାଥ କରିଦେଲା । ତିନି ବର୍ଷ ପୂର୍ବେ ମା’ ସନ୍ତୁଳା ଗଣ୍ଡ ମୃତ୍ୟୁ ବରଣ କରିଥିବା ବେଳେ ୨ମାସ ପୂର୍ବେ ବାପ ବୂଟା ଗଣ୍ଡ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ବାପା ମା’ଙ୍କ ମୃତ୍ୟୁ ପରେ ତାଙ୍କର ୨ ଝିଅ ଓ ୨ ପୁଅ ଏବେ ଅନାଥ ହୋଇ ଯାଇଛନ୍ତି । ସୂଚନା ଅନୁସାରେ ସେମାନେ ଦୁଇ ମୁଠା ଖାଇବା ମଧ୍ୟ କଷ୍ଟକର ହୋଇପଡିଛି । ପାଖ ପଡିସା ଲୋକେ ଯାହା ଦେଉଛନ୍ତି ସେଥିରେ ଚାରି ଛୁଆଙ୍କ ଦିନ କଟି ଯାଉଛି । ବଡ ଭଉଣୀର ବୟସ ମାତ୍ର ବାର ବର୍ଷ । ତିନି ଭାଇ ଭଉଣୀଙ୍କ ସବୁ ବୋଝ ତାଙ୍କ ଉପରେ । ଯେଉଁ ବୟସରେ ବହି ବସ୍ତାନି ଧରି ସ୍କୁଲକୁ ଯାଇ ପାଠ ପଢିବା କଥା ସେହି ବୟସରେ ତିନି ଭାଇ ଭଉଣୀଙ୍କ ବୋଝ ବୋହୁଛି ବଡ ଭଉଣୀ । ପିଲାମାନେ ଏତେ ଛୋଟ ଯେ ନିଜେ ନିଜକୁ ସମ୍ଭାଳିବା ମୁସ୍କିଲ ହେଉଛି । ଟଙ୍କା ପିତାଙ୍କ ନାମରେ ଥିବା ଜମି ଏବେ ସାହୁକାର ପାଖରେ ବନ୍ଧକ ପଢିଛି । ସେମାନେ କିପରି ରହିବେ, କେଉଁଠି ରହିବେ, ଖାଇବେ କଣ ଏମିତି ଅନେକ ସମସ୍ୟାକୁ ନେଇ ଗତ କିଛିଦିନ ତଳେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହି ଖବର ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ନବରଙ୍ଗପୁର ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ନବରଙ୍ଗପୁର, ମନ୍ତ୍ରୀ ଟୁକୁନି ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗ, ବିଡ଼ିଓ ଉମରକୋଟଙ୍କ ଦୃଷ୍ଟି ଆକର୍ଷଣ କରି ଶିଶୁମାନଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲା ପରେ ଶିଶୁ ସୁରକ୍ଷା ୟୁନିଟର ଏକ ପ୍ରତିନିଧି ଦଳ ପହଂଚି ଶିଶୁମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପରେ ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥିତ କରି ସେମାନଂକୁ ଭିତରୁ ଦୁଇଜଣଙ୍କୁ ମାସିକ ଚାରି ହଜାର ଟଙ୍କା ଏକ ବର୍ଷ ପାଇଁ ଦେବାର ବ୍ୟବସ୍ଥା କରିଛନ୍ତି । ସବା ଶେଷ ଝିଅଙ୍କୁ କୁରସି ଆଶ୍ରମ ସ୍କୁଲଠାରେ ରଖି ପଢ଼ାଇବାର ବ୍ୟବସ୍ଥା କରିଛନ୍ତି । ଛୋଟ ଛୁଆକୁ ଅଙ୍ଗନବାଡି ଦିଦି ପ୍ରତି ମାସରେ ଘରକୁ ଯାଇ ତାଙ୍କର ଖାଦ୍ୟ ଦେବାକୁ ବିଡ଼ିଓ ନିର୍ଦେଶ ଦେଇଛନ୍ତି । ସେହିପରି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉମରକୋଟ ବିଡ଼ିଓଙ୍କୁ ଡିସିପିଓ ନିର୍ଦେଶ ଦେଇଛନ୍ତ । ଦୁଇଜଣ ଝିଅଙ୍କୁ ଆଦିକା କିଶୋରୀ ସଶକ୍ତିକରଣ ପ୍ରୋଗ୍ରାମରେ ସାମିଲ କରାଯିବାକୁ କହିଛନ୍ତି । ସେହିପରି ଏନ୍‌ସିପିସି ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଟ୍ୱିଟର ଯୋଗେ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

4 × 4 =