ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଭୁବନେଶ୍ୱର କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ । ତେବେ ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି । ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି । ତେବେ ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ୟ୍ୟନ୍ତ ୧୭ଜଣ କିନ୍ନରଙ୍କୁ ସାମିଲ୍ କରାଯାଇଛି । ସେଥିମଧ୍ୟରୁ ୧୫ଜଣ କିନ୍ନର ଥିବା ବେଳେ ୨ଜଣ ମେଲ୍ ଟ୍ରାନ୍ସଫର୍ମର ରହିଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୬ ହେବ ବୋଲି ଜଣାପଡ଼ିଛି । ପାର୍କିଂ ଟିକେଟ୍ କାଟିବା ପାଇଁ କିନ୍ନରମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଇଥିଲା । ଏହାସହ କିନ୍ନରମାନଙ୍କୁ ଆପ୍ରୋନ ଓ ମନିବ୍ୟାଗ୍ ସାଙ୍ଗକୁ କ୍ୟୁଏକ୍ସୋ ମେସିନ୍ ଓ ବିଏମସି ତରଫରୁ ସ୍ୱତନ୍ତ୍ର ଆଇ କାର୍ଡ ଦିଆଯାଇଛି । ଏହି କାର୍ଡ ପକାଇ ସେମାନେ ପାର୍କିଂ ଦେୟ ଆଦାୟ କରିବେ । ସହରର ଦୁଇ ପ୍ରମୁଖ ପାର୍କିଂ ଲଟ୍ ରାଜମହଲ୍ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଏବଂ ମାଷ୍ଟର୍ କ୍ୟାଣ୍ଟିନ୍ ଠାରୁ ଶ୍ରୀୟା ଛକ ପର୍ୟ୍ୟନ୍ତ ଦୁଇଟି ପାର୍କିଂ ଲଟ୍‌ରେ କିନ୍ନରମାନେ ଜଗିବେ । ଏହାବ୍ୟତୀତ ଏହି ଦୁଇଟି ପାର୍କିଂ ଲଟ୍ ପାଇଁ ସ୍ୱତନ୍ତ୍ର ରେଟ୍ ଚାଟ୍ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ବିଏମସି ତରଫରୁ ୧୭ଜଣ କିନ୍ନରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ସେମାନଙ୍କୁ ଆଉଏକ ନୂଆ ଯୋଜନାରେ ସାମିଲ୍ କରାଯାଇଛି ।

Leave A Reply

Your email address will not be published.