centurian jitm

ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା କଣ୍ଟାମାଳରେ ମାଗଣା ସ୍ୱାସ୍ଥ୍ୟ ଶିବିର : ୧ ହଜାର ୩୮ ଜଣ ରୋଗୀ କଲେ ସ୍ୱାସ୍ଥ୍ୟ ପରୀକ୍ଷା

nschool

ଘଣ୍ଟାପଡା, (ବଂଶୀଧର ମାଝୀ) : ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲ, ବରଗଡ ଓ ଆରମ୍ଭ ସ୍ୱେଚ୍ଛାସେବୀ ସଂଗଠନ, କଣ୍ଟାମାଳର ମିଳିତ ଆନୁକୂଲ୍ୟରେ ଏକ ବିରାଟ ମାଗଣା ସ୍ୱାସ୍ଥ୍ୟ ଶିବିର ଆଜି କଣ୍ଟାମାଳ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ଆରମ୍ଭ ତରଫରୁ ସମାଜସେବୀ ଯଦୁବିହାରୀ ବାଘଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏହି ଶିବିରକୁ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଯାଜେ୍ଞଶ୍ୱରୀ ପ୍ରଧାନ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ କଂଗ୍ରେସର ପ୍ରଶାନ୍ତ କୁମାର ସାହୁ, ଆଇନଜୀବୀ ରାଧାବଲ୍ଲଭ ପ୍ରଧାନ, ବିଜେଡି ଜିଲ୍ଲା ସଂପାଦକ ଶମ୍ଭୁପ୍ରସାଦ ସାହୁ, ଶ୍ରୀକାନ୍ତ ମିଶ୍ର, ଚିରଂଜିବୀ ବିଶି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ନେତା ସୁଧାଂଶୁ ରଣା, ବିଜେପିର ବରିଷ୍ଠ ନେତା ନବୀନ ମହାପାତ୍ର, ଅନିଲ ପ୍ରଧାନ, ଆଦିବାସୀ ନେତା ଡମ୍ବରୁଧର କଅଁର ପ୍ରମୁଖ ଯୋଗଦେଇ ଡାକ୍ତର ଓ ରୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଶିବିରରେ ଭେଷଜ, ଗଳା, ନାଶା, କର୍ଣ୍ଣ, ଚକ୍ଷୁ, ଶିଶୁରୋଗ, ଦାନ୍ତରୋଗ, ଅସ୍ଥିଶଲ୍ୟ, ଚର୍ମ ଓ ଯୌନ ରୋଗ ଆଦି ବିଭିନ୍ନ ରୋଗରୁ ମୋଟ ୧ ହଜାର ୩୮ଜଣ ରୋଗୀ ଚିକିତ୍ସାର ସୁଯୋଗ ନେଇଥିଲେ । ସେହିପରି ଚିକିତ୍ସିତ ଚକ୍ଷୁ ରୋଗୀଙ୍କ ମଧ୍ୟରୁ ୧୫ଜଣ ଚକ୍ଷୁ ରୋଗୀଙ୍କୁ ମାଗଣା ମୋତିଆବିନ୍ଦୁ ଅପରେସନ ପାଇଁ ପରାମର୍ଶ ଦେଇଥିଲେ । ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲର ଜିଏମ୍‌ ସବ୍ୟସାଚୀ ରାୟଙ୍କ ତତ୍ତ୍ୱାବଧାନରେ ଭେଷଜ ବିଶେଷଜ୍ଞ ଡାକ୍ତର ସନ୍ତୋଷ ଟେଡେ, ଇଏନ୍‌ଟି ବିଶେଷଜ୍ଞ ଡାକ୍ଟର ରାକେଶ ଷଡଙ୍ଗୀ, ଚର୍ମରୋଗର ଡାକ୍ଟର ଆଶିଷ ନାଏକ, ଦନ୍ତରୋଗ ଡାକ୍ଟର ସ୍ମୃତି ଅଗ୍ରଓାଲ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ଟର ଆଶିଷ ପଟେଲ ଓ ଅସ୍ଥି ସଲ୍ୟ ବିଶେଷଜ୍ଞ ଡାକ୍ଟର ସୁନିଲ କର ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସା କରିଥିବା ବେଳେ ଷ୍ଟାଫନର୍ସ, ଫାର୍ମାଶିଷ୍ଟ ସମେତ ମୋଟ୍‌ ୨୫ଜଣ କର୍ମଚାରୀ ଶିବିରରେ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସାରେ ସହଯୋଗ କରିଥିଲେ । ଅନୁଷ୍ଠାନର ସ୍ୱେଚ୍ଛାସେବୀ ଅଧ୍ୟାପକ ସନ୍ତୋଷ ବିଶି, ମହେନ୍ଦ୍ର ଦାଶ, ଲକ୍ଷ୍ମଣ ମହାପାତ୍ର, ଦେବୀପ୍ରସାଦ ନାଏକ, ଆଇନଜୀବୀ ମନୋଜ ଶର୍ମା ସମେତ ଆରମ୍ଭର ସମସ୍ତ ସଦସ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

?
Leave A Reply

Your email address will not be published.