oom

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

  • ମୋଟ ୧୯୧ଗୋଟି ଅଭିଯୋଗର ହେଲା ଶୁଣାଣି

ବାରିପଦା, (ଦେବସ୍ମିତ ଚୌଧୁରୀ) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳ ୭ଘଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ହେମକାନ୍ତ ସୟ ଭା. ପ୍ର. ସେଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଥିଲା । ଉକ୍ତ ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଭା.ପୋ.ସେ., ଆଇ ଏ ଏସ ପ୍ରୋବେଶନର ମିସ କାଶୀଷ ବକ୍ସି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଆଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା ଓ ବାରିପଦା ଉପଜିଲ୍ଲାପାଳ ଡି ଦୟାସିନ୍ଧୁ ପରିଡା, ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡର ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡର ସର୍ବମୋଟ ୧୯୧ଟି ଅଭିଯୋଗ ପତ୍ର ଶୁଣାଣି ପାଇଁ ଗ୍ରହଣ ହୋଇଥିଲା । ଉକ୍ତ ୧୯୧ଗୋଟି ଅଭିଯୋଗ ମଧ୍ୟରୁ ୧୬୬ଟି ବ୍ୟକ୍ତିଗତ ସମସ୍ୟା ସମ୍ଭନ୍ଧିତ ଥିବାବେଳେ, ୨୫ଗୋଟି ସାମୁହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ୫ଟି ଆପତ୍ତିର ତତ୍କାଳ ସମାଧାନ ହୋଇଥିଲା । ଅଭିଯୋଗ ର ଗୁରୁତ୍ୱ କୁ ବିଚାର କରି ଜିଲ୍ଲାପାଳ ୪ଜଣ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦,୦୦୦/-ଟଙ୍କା ଏବଂ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୫୦୦୦/-ଟଙ୍କା ମଂଜୁର କରିଛନ୍ତି । ଆଜିର ଜନ ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଆଜି ଜନ ଶୁଣାଣି ଶିବିରକୁ ଆସିଥିବା ଆବେଦନକାରି ମାନଙ୍କ ପାଇଁ ଶେଡ଼ ବ୍ୟବସ୍ଥା କରାଯିବା ସହ ଲୋକମାନଙ୍କୁ ପିଇବା ପାଇଁ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.