ସିନାପାଲି, (ନିରାକାର ମେହେର) : ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପରେ ଗତକାଲି ପୂର୍ବାହ୍ନରେ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତଙ୍କ ଦ୍ୱାରା ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ସୁନା ଏବଂ ରୂପା ତିଆରି କିରୀଟି, ଓଢ଼ିଆଣୀ, ଶ୍ରୀଭୁଜ, ଶ୍ରୀପୟର, ମାଳି, କମରପଟି, ଚକ୍ର, କୁଣ୍ତଳ ଆଦି ଅଲଙ୍କାରରେ ସୁସଜ୍ଜିତ କରାଯାଇଥିଲା । ଏହା ପରେ ଅପରାହ୍ନରେ ତିନି ରଥ ଉପରେ ଅଧରପଣା ନୀତି କରାଗଲା ପରେ ସନ୍ଧ୍ୟାରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଏବର୍ଷର ନବଦିନାତ୍ମକ ଯାତ୍ରା ସଂପନ୍ନ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୩ରେ ସିନାପାଲିରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ପୁରୀ ଗଜପତି ମହାରାଜଙ୍କ ପରାମର୍ଶରେ ଏଠାରେ ପ୍ରତିବର୍ଷ ଶ୍ରୀଜିଉଙ୍କ ସୁନାବେଶ ସହ ପ୍ରାୟ ସମସ୍ତ ରୀତିନୀତି ଅନୁଷ୍ଠିତ ହେଉଛି । ସୁନାବେଶ ଦର୍ଶନ ପାଇଁ ଆଜି ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
Next Post