ମ.ରାମପୁର ବ୍ଲକରେ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

ମ.ରାମପୁର, (ପି.କେ. ସାହୁ) : ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏକ ବିଶାଳ ମହିଳା ସମାବେଶ ହୋଇଛି । ଏଥିପାଇଁ ପ୍ରତ୍ୟେକ ବ୍ଲକକୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେଇଛନ୍ତି । ଏହି ବ୍ଲକସ୍ତରୀୟ ସଭାରେ ମହିଳା ଏସ୍‌.ଏଚ୍‌.ଜି ସଦସ୍ୟା, ଏମ.ବି.କେ, ସି.ଆର.ପି, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସୁଭଦ୍ରା ହିତାଧିକାରୀମାନେ ଉପସ୍ଥିତ ଅଛନ୍ତି । ସୂଚନା ଅନୁସାରେ, ରାଜ୍ୟର ବିଜେପି ସରକାର ନିଜର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଜୋରଦାର କସରତ ଆରମ୍ଭ କରିଛି । ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକକୁ ୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ହଜାର ହଜାର ମହିଳାଙ୍କ ଏହି ସମାବେଶରେ ମ.ରାମପୁର ବିଡ଼ିଓ କସ୍ତୁରୀ ପଣ୍ଡା (ଆଇ.ଏ .ଏସ) ପ୍ରଥମେ ତାଙ୍କର ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ,ଏହି କାର୍ଯ୍ୟକ୍ରମରେ ଏଲ୍‌ଇଡି ସ୍କ୍ରିନ୍ ଲଗାଇ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ମେଗା ଲୋକାର୍ପଣ କରିବାର ଉତ୍ସବ ସିଧାସଳଖ ପ୍ରସାରଣ କରାଯାଇଥିଲା । ଏହି ମହିଳା ସମାବେଶରେ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ସହିତ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିବା ବେଳେ ପୋଲିସ ବିଭାଗ ଓ ଦମକଳ ବାହିନୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ସୂଚାରୁରୁପେ ନିର୍ବାହ କରିଥିଲେ । ତେବେ ଭର୍ଚଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟା ମହିଳାମାନେ ଯୋଗ ଦେଇଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ମନଭରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ଶେଷରେ ମିଶନଶକ୍ତି ବ୍ଲକ ସଂଯୋଜକ ସତ୍ୟବାନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.