ଛତ୍ରପୁର ବ୍ଲକ କରାତଳି ଗ୍ରାମରେ ସ୍ୱଦେଶୀ ଔଷଧୀ ହାଟ ଏବଂ ଦିନିକିଆ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଗୋ-ବିଜ୍ଞାନ ଫାଉଣ୍ଡେସନ ଓ ବୈଦ୍ୟଶାଳାର ମିଳିତ ଆନୁକୂଲ୍ୟରେ ଛତ୍ରପୁର କରାତଳି ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରଠାରେ ପ୍ରାକୃତିକ ସ୍ୱାସ୍ଥ୍ୟ ଶିବିର ଓ ସ୍ୱଦେଶୀ ହାଟ, ଜୈବିକ ଚାଷ ସମ୍ପର୍କରେ ଗତ ରବିବାର ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଶ୍ରୀ ଗୋ-ବିଜ୍ଞାନ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ‘ବୈଦ୍ୟଶାଳା’ର ପ୍ରତିଷ୍ଠାତା, ଯିଏ କି ଜଣେ ପ୍ରାକୃତିକ, ଗବ୍ୟସିଦ୍ଧ ଓ ଆୟୁର୍ବେଦିକ ଚିକିତ୍ସକ ଡ଼ା. ନିରାକାର ବେହେରା ଯୋଗଦେଇ ନିରୋଗ ଜୀବନ ଯାପନ କରିବା ନିମନ୍ତେ ସ୍ୱଦେଶୀ ବସ୍ତୁ ଓ ପଦାର୍ଥକୁ ବ୍ୟବହାର କରିବା, ସ୍ୱାବଲମ୍ବୀ, ସ୍ୱାଭିମାନି ଓ ପ୍ରଧାନମନ୍ତ୍ରୀଙ୍କ ଲୋକାଲ ଭୋକାଲ ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଘରୋଇ ଚିକିତ୍ସା ଓ ପ୍ରାକୃତିକ ଚିକିତ୍ସା ଦ୍ୱାରା ମଣିଷ ସମ୍ପୂର୍ଣ୍ଣ ସୁସ୍ଥ ରହି ପାରିବ ଏହି କଥା ଉପସ୍ଥିତ ଛାତ୍ରଛାତ୍ରୀ, ଯୁବକ, ମହିଳା ଓ ଗ୍ରାମବାସୀଙ୍କୁ ବୁଝାଇ ଥିଲେ । ବୈଦ୍ୟଶାଳା ଦ୍ୱାରା ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ ୫ଜଣ ଯୁବକ ଓ ଯୁବତୀଙ୍କୁ ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦିକ ଚିକିତ୍ସା ପ୍ରଶିକ୍ଷଣ ଦେଇ, ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଟାଏ ଲେଖାଏ ‘ବୈଦ୍ୟଶାଳା’ ପ୍ରତିଷ୍ଠା କରିବା ଉପରେ ଆଲୋକପାତ କରିଥିଲେ । ଲୋକଙ୍କୁ ସ୍ୱାସ୍ଥ୍ୟସେବା ଉପରେ ସଚେତନ କରିବା ସଙ୍ଗେ ସଙ୍ଗେ ଲୋକମାନେ କିପରି ହାତପାଖରେ ଔଷଧ ରଖି ନିଜର ଡାକ୍ତର ନିଜେ ହୋଇ ପାରିବେ, ତାହା ଉପରେ ଲୋକମାନଙ୍କୁ ଗୁରୁତ୍ୱାରୋପ କରିଥିଲେ । ଆଗ୍ରହୀ ଯୁବକ ଯୁବତୀ ‘ବୈଦ୍ୟଶାଳା’ରେ ଯୋଗଦେଇ ମାଆ, ମାଟି ଓ ଓଡିଶା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ୧୫ଜଣ ବୃଦ୍ଧ ବୃଦ୍ଧାଙ୍କୁ ୩୦-୪୫ ମିନିଟ୍‌ ଭିତରେ କଟି ବାତ, ମେରୁଦଣ୍ଡ ଯନ୍ତ୍ରଣା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୭୦-୯୦ଭାଗ ଯନ୍ତ୍ରଣା ଉପଶମ କରି ଏହା ପ୍ରାକୃତିକ ଚିକିତ୍ସାରେ ଯେ ସମ୍ଭବ ଏକଥା ପ୍ରମାଣିତ କରିଥିଲେ । ବେକାର ଶିକ୍ଷିତ ଯୁବକ ଯୁବତୀ ଚାକିରି ପଛରେ ନ ଗୋଡ଼ାଇ, ଗୋଟାଏ ଦେଶୀ ଗାଈରୁ ମାସକୁ ଏକ ଲକ୍ଷ ଟଙ୍କା, ଘରୋଇ ଉଦ୍ୟୋଗ ଓ ଗୋ-କୁଟୀର ଶିଳ୍ପ ଦ୍ୱାରା ସମ୍ଭବ ଏବଂ ଏହା ଦ୍ୱାରା କେବଳ ଗୋଟିଏ ଗାଁ ନୁହେଁ ସାରା ଓଡ଼ିଶା ସୁସ୍ଥ, ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇପାରିବା ସହ ଗୋ-ମାତା ସୁରକ୍ଷା ହେଇପାରିବ ଓ ଜୈବିକ କୃଷି ଦ୍ୱାରା ଲୋକମାନେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ ଏହା ଉପରେ ଆଲୋକପାତ କରିଥିଲେ ।

ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଯୋଗ ଦେଇ ମଣିଷ ସୁସ୍ଥ ରହିବା ପାଇଁ ଜୈବିକ କୃଷି ଓ ଜୈବିକ ଉତ୍ପାଦ କେତେ ଯେ ଅପରିହାର୍ଯ୍ୟ ତାହା ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ସଭାପତି ରାଜେନ୍ଦ୍ର ନାହାକ, କରାତଳି ଗାଁ କମିଟିର ସମ୍ପାଦକ ଦୁର୍ଯ୍ୟୋଧନ ପ୍ରଧାନ, ରଘୁନାଥ ନାହାକ, ଶ୍ରୀଚୈତନ୍ୟ ୟୁଥ୍‌ କ୍ଲବର ଗଣେଶ୍ୱର ବେହେରା, ଦିନେଶ ମହାନ୍ତି, ବିଭୁ ପ୍ରସାଦ ମଣ୍ଡଳ ଓ ଯୋଗେଶ ସେଠୀ ପରିଚାଳନା କରିଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ସପ୍ତାହରେ ଏହି କାର୍ଯ୍ୟକ୍ରମ ପ୍ରାଥମିକ ସ୍ତରରେ ବିଭିନ୍ନ ଗ୍ରାମାଞ୍ଚଳରେ ଆୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.