ଗାନ୍ଧୀଜୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସେବା ଓ ଶ୍ରଦ୍ଧା : ଜୀବନ ଏକ ନିବେଦନ ଶୀର୍ଷକ ଆଲୋଚନାଚକ୍ର

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସ୍ଥାନୀୟ ଯାଦବ ଭବନ ଠାରେ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ‘ସେବା ଓ ଶ୍ରଦ୍ଧା, ଜୀବନ ଏକ ନିବେଦନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରକୁ ଦିବଙ୍ଗତ ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ଲଳିତ କୁମାର ନାୟକଙ୍କୁ ଉତ୍ସର୍ଗ କରାଯାଇଥିଲା । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱର ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ବର୍ଷୀୟାନ ସାମ୍ବାଦିକ ଓ ସିନେ ଅଭିନେତା ସତ୍ୟନାରାୟଣ ବେହେରା, ଆଲୋଚକ ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ରବିଶଙ୍କର ପାଣ୍ଡିଆ ଓ ସୂଚନା ଅଧିକାର କର୍ମୀ ତଥା ସ୍ତମ୍ଭକାର ହେମନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ । ଆଲୋଚକ ପ୍ରଫେସର ପାଣ୍ଡିଆ ତାଙ୍କ ବକ୍ତବ୍ୟରେ ଜଣେ ନେତାଙ୍କ ନେତୃତ୍ୱର ସଫଳତା ତାଙ୍କ ଅନୁଗାମୀମାନଙ୍କ ସଫଳତାରେ ପ୍ରତିଫଳିତ ହୋଇଥାଏ ବୋଲି କହିଥିଲେ ।

ସେବା ଓ ଶ୍ରଦ୍ଧା ପ୍ରସଙ୍ଗରେ ଗାନ୍ଧୀଙ୍କ ବିଚାର ଓ ଦର୍ଶନକୁ ସ୍ୱର୍ଗତ ଲଳିତ ନାୟକ ଯେଭଳି ନିଜ କାର୍ଯ୍ୟରେ ପ୍ରତିଫଳିତ କରିଥିଲେ ସେଥିରୁ ତାଙ୍କୁ ପ୍ରକୃତ ଅନୁଗାମୀ କହିପାରିବା ବୋଲି ସେ କହିଥିଲେ । ଅନ୍ୟତମ ଆଲୋଚକ ସ୍ତମ୍ଭକାର ପଣ୍ଡା ତାଙ୍କ ବକ୍ତବ୍ୟରେ ଗାନ୍ଧିଜୀଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ସଫଳତମ ରାଜନୈତିକ ବ୍ୟକ୍ତି ଭାବେ ଅଭିହିତ କହିଥିଲେ । ପ୍ରାର୍ଥନାକାରୀଙ୍କ ଓଠରୁ ସେବାକାରୀର ହାତ ଶ୍ରେୟସ୍କର ବୋଲି କହିବା ସହ ଗାନ୍ଧୀଜୀଙ୍କ ସେବା ଓ ଶ୍ରଦ୍ଧାକୁ ସ୍ୱର୍ଗତ ନାୟକ ତାଙ୍କ ଜୀବନ ଓ କର୍ମରେ ପ୍ରଦର୍ଶିତ କରିପାରିଥିଲେ ବୋଲି କହିଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ବାର୍ତ୍ତା ଆଜିର ସମାଜରେ ଅଧିକ ପ୍ରାସଙ୍ଗିକ ବୋଲି କହି ସ୍ୱର୍ଗତ ନାୟକଙ୍କୁ ଗାନ୍ଧୀଜୀଙ୍କ ପ୍ରକୃତ ଦାୟାଦ ବୋଲି କହିଥିଲେ । ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ ଲୋକଙ୍କ ଆଖି ଭିତରେ କେତେ ସ୍ୱପ୍ନ ଲୁଚି ଥିଲା, ପେଟ ଭିତରେ କେତେ ଭୋକ ଥିଲା ଓ ଛାତି ତଳେ କେତେ ହା’ହୁତାସ ରହିଥିଲା ସବୁକୁ ଗାନ୍ଧୀଜୀ ଅନୁଧ୍ୟାନ କରିଥିଲେ । ଆମର ସମୟର ସ୍ୱର୍ଗତ ଲଳିତ ନାୟକ ଥିଲେ ବାଧିତଜନଙ୍କ ମହାନାୟକ ବୋଲି ଛୁରିଆ କହିଥିଲେ । କାର୍ଯ୍ୟକ୍ରମକୁ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । ଏହି ଅବସରରେ ଦୁଇଜଣ ଯୁବ ଗଣମାଧ୍ୟମ ପ୍ରତିନିଧି ବିଭୂକଲ୍ୟାଣ ଗଡତ୍ୟା ଓ ଶୁଭଶ୍ୱେତା ପଣ୍ଡାଙ୍କୁ ଲଳିତ ନାୟକ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆବାହକ ପ୍ରଶାନ୍ତ ମହାକୁରଙ୍କ ପରିଚାଳନାକ୍ରମେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୁବକବି ଅର୍ଜୁନ ସାହୁ ଗାନ୍ଧୀଜୀଙ୍କ ଉପରେ ଏକ କୋଶଲୀ କବିତା ପାଠ କରିଥିଲେ । ଶେଷରେ ବିନୋଦ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.