ଧୁମାଭଟାରୁ କତରଲଗା ଗାଁକୁ ବ୍ରିଜ ନିର୍ମାଣ ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଜଳ ସତ୍ୟାଗ୍ରହ

ବେଲପଡା, (କରୁଣାକର ବୁଡେକ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଧୁମାଭଟା ଗାଁରୁ ମୁରିବାହାଲ ବ୍ଲକର କତରଲଗା ଗାଁକୁ ସଂଯୋଗ କରୁଥିବା ଲାନ୍ଥ ନଦୀରେ ବ୍ରିିଜ ନିର୍ମାଣ ଦାବୀରେ ଶୁକ୍ରବାର କୋଶଲ ସମନ୍ୱୟ ସମିତିର କର୍ମକର୍ତ୍ତାଙ୍କ ସହ ଆଖପାଖ ଗାଁର ଶତାଧିକ ପୁରୁଷ ଓ ମହିଳା ମାନେ ନଦୀର ଜଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜଳ ସତ୍ୟାଗ୍ରହ କରିଛନ୍ତି । ପରେ ବେଲପଡା ତହସିଲଦାର ଓ ମୁରିବାହାଲ ତହସିଲଦାରଙ୍କ ଜରିଆରେ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନା ମତେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଓ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସୀମାରେ ଲାନ୍ଥନଦୀ ପ୍ରବାହିତ ହେଉଛି ଏବଂ ପାଟଣାଗଡରୁ ଟିଟିଲାଗଡ ଭାୟା ଧୁମାଭଟା, କତରଲଗା, ମୁରିବାହଲକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଯାତାୟତ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୁରିବାହାଲ ବ୍ଲକର ଅଧିକ ଲୋକ ସ୍କୁଳ କଲେଜ ଚିକିତ୍ସା ତଥା ବ୍ୟବସାୟ ପାଇଁ ଧୁମାଭଟା, ପାଟଣାଗଡ ଉପରେ ନିର୍ଭର କରିଥାନ୍ତି । ସେହିପରି ପାଟଣାଗଡ ଅଞ୍ଚଳର ବହୁ ଲୋକ ସରକାରୀ ଓ ବେସରକାରୀ କାମ ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଟିଟିଲାଗଡ ଅଞ୍ଚଳକୁ ଯାଉଛନ୍ତି । ହେଲେ ନଦୀରେ ପାଣି ଯୋଗୁଁ ଟିକ୍ରାପଡା କିମ୍ବା ବେଲପଡା ପଟୁ ୨୦ରୁ ୨୫ କିମି ବୁଲିକି ଯିବାକୁ ପଡୁଛି । ଯାହ ଫଳରେ ଲୋକେ ଅଧିକ ଖର୍ଚ୍ଚାନ୍ତର ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ମାନଙ୍କୁ ଠାରେ ବି ବାରମ୍ବାର ଅଭିଯୋଗ କଲେ ବି କିଛି ସୁଫଲ ମିଳୁନଥିବା କହିଛନ୍ତି । ଏଥିପାଇଁ ଆଖପାଖ ଅଞ୍ଚଳର ଶତାଧିକ ଉପସ୍ଥିତ ରହି ଆଜି ଜଳ ସତ୍ୟାଗ୍ରହ କରିଥିବା ଜଣାପଡିଛି । ଘଟଣାସ୍ଥଳକୁ ଉଭୟ ବ୍ଲକର ତହସିଲଦାର ପହଁଚି ବୁଝାସୁଝା ପରେ ଆନ୍ଦୋଳନକାରୀ ମାନେ ଓହରିଥିଲେ । ଏହି ଜଳ ସତ୍ୟାଗ୍ରହ ବେଳେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଚ୍ୟୁତ ସିପୁନ ଖାମରୀ, ଗିରିଧାରି ଭୋଇ, ବନମାଲି ନାଏକ, ଉମେଶ ବନଗୁଲା, ବସୁଦେବ ରାଉତ, ଶେଷଦେବ ବାଗ, କୌଶଲ ବନଗୁଲା, ରାଧେଶ୍ୱାମ ରାଉତଙ୍କ ସହ ଆଖପାଖ ଅଚଂଳର ଶତାଧିକ ଲୋକ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଆଗାମୀ ଦିନରେ ଦାବୀ ଗୁଡିକ ପୂରଣ କରା ନଗଲେ ତ୍ରୀବ୍ର ଆନ୍ଦୋଳନ ପାଇଁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.