ରାଜେନ୍ଦ୍ର ୟୁନିଭର୍‌ସିଟି କୁଳପତିଙ୍କୁ ଏଲ୍ୟୁମିନି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ୟୁନିଭର୍‌ସିଟ ଏଲ୍ୟୁମିନି ତରଫରୁ ଏକ ପ୍ରତିନିଧି ଦଳ ଆଜି ନୂଆ କରି କୁଳପତି ଭାବେ ଯୋଗ ଦେଇଥିବା ଡ. ଉମା ବଲ୍ଲଭ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଲ୍ୟୁମିନି ସଭାପତି ଡ. ଅଭିମୁନ୍ୟୁ ମିଶ୍ର କୁଳପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଳେ । ଏଲ୍ୟୁମିନି କୋଷାଧ୍ୟକ୍ଷ ଡ. ଶ୍ରୀକର ମିଶ୍ର ଓ ଆଜୀବନ ସଦସ୍ୟ ତଥା ପୂର୍ବତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ଏଇ ପ୍ରତିନିଧି ଦଳରେ ଉପସ୍ଥିତ ରହି ପ୍ରଫେସର ମହାପାତ୍ରଙ୍କ ଯୋଗଦାନରେ ବଲାଙ୍ଗିରବାସୀ ବେଶ୍‌ ଉଲ୍ଲସିତ ବୋଲି କହିଥିଲେ । ଏଲ୍ୟୁମିନିର ସଦସ୍ୟମାନେ ଏଇ ନୂତନ ବିଶ୍ୱବିଦ୍ୟାଳୟର ଦୃଢ଼ ଭିତ୍ତିପ୍ରସ୍ତର ନିର୍ମାଣ ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼ାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କୁଳପତି ପ୍ରଫେସର ମହାପାତ୍ର ଏଲ୍ୟୁମିନି ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରି ଏଇ ନୂତନ ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ଓ ଉତ୍‌କୃଷ୍ଟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଥିଲେ । ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦିଗରେ ତୁରନ୍ତ ପଦକ୍ଷେପ ଓ ନୂତନ କେମ୍ପସ୍‌ର ନିର୍ମାଣ ପାଇଁ ଅନ୍ୟୁନ ୧୦୦ରୁ ୨୦୦ ଏକର ଜମିର ବନ୍ଦୋବସ୍ତ କରିବା ପାଇଁ ସେ ଅଗ୍ରାଧିକାର ଦେବେ ବୋଲି ମତ ପ୍ରକାଶ କରିଥିଲେ ।

ଏଲ୍ୟୁମିନିର ଅଧ୍ୟକ୍ଷ ଡ. ଅଭିମନ୍ୟୁ ମିଶ୍ର ପୁରୁଣା ଏଲ୍ୟୁମିନି ସଦସ୍ୟଙ୍କ ଦ୍ୱାରା ପ୍ରକାଶିତ ‘ବିଜ୍ଞାନ ମଧୁପ’କୁ ଉପହାର ଦେଇ ଏହାକୁ ‘ସପ୍ତର୍ଷି’ ଭଳି ଏକ ମୁଖପତ୍ର ଭାବେ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶ କରିବାକୁ ଏକ ରାଜିନାମା କରିବାକୁ କୁଳପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଏଲ୍ୟୁମିନିର ସଦସ୍ୟବୃନ୍ଦ ଏଲ୍ୟୁମିନି ପାଇଁ ଏକ ଅଫିସ୍‌ ଗୃହ ଯୋଗାଇ ଦେବାକୁ, ଜବର୍‌ ଦଖଲ୍‌ ସମସ୍ୟା ତଥା ଅଧ୍ୟାପକ ମରୁଡ଼ି ସମସ୍ୟା ଦୂରିକରଣ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ କୁଳସଚିବ ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.