ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଯୁବପିଢିଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା । ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାନଜନିତ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଯୁବପିଢି ଚିକିତ୍ସା ପାଇଁ ଆସୁଥିବା ଆଲୋଚିତ ହେଉଛି । କାନଜନିତ ସମସ୍ୟାର ପ୍ରତିକାର ପାଇଁ ବହୁ ଯୁବପିଢି କର୍ଣ୍ଣ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିବା ଜଣାପଡିଛି । ଅତ୍ୟାଧୁନିକ ବିଦ୍ୟୁତ ଉପକରଣ ଠାରୁ ଆରମ୍ଭ କରି ବ୍ଲୁ ଟୁଥ ହିଁ କାନଜନିତ ସମସ୍ୟାର ମୁଖ୍ୟ କାରଣ ପାଲଟିଥିବା ବେଳେ ଏଭଳି ସାମଗ୍ରୀକୁ ଯଥାସମ୍ଭବ କମ ବ୍ୟବହାର କରିବାକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ତରଫରୁ ଯୁବପିଢିଙ୍କୁ ପରାମର୍ଶ ଦେଉଛନ୍ତି । ସଂପ୍ରତି ବ୍ଲଟୁଥ, ଇଅର ଫୋନ ଓ ହେଡ ଫୋନ ବ୍ୟବହାର କରିବା କେତେକ ଯୁବପିଢିଙ୍କ କ୍ଷେତ୍ରରେ ଏହା ଏକ ଫ୍ୟାସନ ପାଲଟିଯାଇଛି । ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଯୁବପିଢିଙ୍କ କ୍ଷେତ୍ରରେ ବ୍ଲଟୁଥ ବ୍ୟବହାର ଦିନକୁ ଦିନ ଏଭଳି ମାତ୍ରାରେ ବଢିବାରେ ଲାଗିଛି କିଛି ଯେ ମୋଟର ସାଇକେଲ କିମ୍ବା ବାଇକ ଚଳାଇବା ବେଳେ ବି ଏହି ଯନ୍ତ୍ରଟି କାନରେ ଲାଗିରହୁଛି । ଗାଡି ଚଳାଇବା ବେଳେ ବହୁ ଯୁବପିଢି ଏହି ବ୍ଲଟୁଥ ମାଧ୍ୟମରେ କଥାବାର୍ଡ଼ ହୋଇ ଗାଡିଚାଳନା କରୁଥିବା ବେଳେ ଅନ୍ୟ କେତେକ ଯୁବବର୍ଗ ଗୀତ ଶୁଣିବା ପାଇଁ ବି ଏହାର ବ୍ୟବହାର କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ତେବେ କାନରେ ଲାଗୁଥିବା ଏହି ବ୍ଲୁ ଟୁଥର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ କିପରି ପଡୁଛି ତାହା ଜାଣିବା ପାଇଁ ପ୍ରାୟତଃ କାହାରି ପାଖରେ ସମୟ ନଥାଏ । ମାତ୍ରାଧିକ ବ୍ଲୁ ଟୁଥ ବ୍ୟବହାର କରିବା ଫଳରେ ଶ୍ରବଣଜନିତ ସମସ୍ୟା ଦେଖାଦେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଏଥିରୁ ନିବୃତ ନରହିଲେ ଆଗାମୀ ଦିନରେ ବହୁ ଯୁବପିଢି ଶ୍ରବଣଜନିତ ସମସ୍ୟାକୁ ନେଇ ଏକ ବଡ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ହେଡଫୋନ ନିର୍ମାଣକାରୀ କମ୍ପାନୀ ବ୍ଲଟୁଥ, ଇଅର ଫୋନ, ହେଡ ଫୋନ ନିର୍ମାଣ କରିବା ସମୟରେ ଯୁବପିଢିଙ୍କ ଶ୍ରବଣ ଶକ୍ତି ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢି ଏହି ବ୍ଲୁଟୁଥ, ଇଅର ଫୋନ, ହେଡ ଫୋନ ବ୍ୟବହାର କରି ଶ୍ରବଣଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । କାନରେ ଯନ୍ତ୍ରଣା ହେବା, ଶୁଣିବାରେ ଅସୁବିଧା ସୃଷ୍ଟି ହେବା ଆଦି ନାନା କାନ ଜନିତ ସମସ୍ୟାକୁ ନେଇ ବହୁ ଯୁବପିଢି ସୁସ୍ଥ ହେବା ଲାଗି ଡାକ୍ତରଙ୍କ ପରାମର୍ଶ ନେଉଥିବା ଜଣାପଡିଛି । ମୋବାଇଲ ବ୍ଲୁ ଟୁଥ, ଇଅର ଫୋନ ଓ ହେଡ ଫୋନରୁ ଉଚ୍ଚ ଶବ୍ଦରେ ଶୁଣିବା ଯୋଗୁଁ କାନଜନିତ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏଥିରେ ପ୍ରଭାବିତ ହେଉଥିବା ଲୋକଙ୍କ ଭିତରୁ ଅଧିକାଂଶ ୪୦ ବର୍ଷରୁ କମ ବୟସର ଯୁବପିଢି ହୋଇଥିବା ଜଣାପଡିଛି । ବାଲିଗୁଡା ମୁଖ୍ୟ ଚିକିତ୍ସାଳୟ ଡାକ୍ତରମାନେ ପରାମର୍ଶ ଦେଇ କହିଛନ୍ତି ଯେ, ବ୍ଲୁ ଟୁଥ ଓ ଇଅର ଫୋନ ନିୟମିତ ବ୍ୟବହାର କରିବା ଦ୍ୱାରା ଶ୍ରବଣଜନିତ ସମସ୍ୟା ସହ ସହ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି । ଏଣୁ ଯୁବପିଢି ଯଥାସମ୍ଭବ ବ୍ଲୁ ଟୁଥ, ଇଅର ଫୋନ, ହେଡ ଫୋନ କମ ସମୟ ବ୍ୟବହାର କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଛି ।