jittmm
sonalika

କାର୍ଯ୍ୟରତ ସାମ୍ବାଦିକ ବିଜୟଙ୍କୁ ଠିକାଦାରଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବଲାଙ୍ଗିରର ସାମ୍ବାଦିକ ସମୂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ଠିକାଦାରଙ୍କ ଆକ୍ରମଣ ବିରୁଦ୍ଧରେ ଆଜି ବଲାଙ୍ଗିରର କାର୍ଯ୍ୟରତ ସାମ୍ବାଦିକମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ଦାବୀ କରିଛନ୍ତି । ତେବେ ଏସ୍‌ପିଙ୍କ ଅନୁପସ୍ଥିତି ଯୋଗୁଁ ଏଡ଼ିସନାଲ୍ ଏସ୍‌ପି ଆଲୋକ ଜେନା ଏହି ଦାବୀପତ୍ର ଗ୍ରହଣ କରିଥିଲେ । ଆକ୍ରମଣର ଶୀକାର ହୋଇଥିବା ସାମ୍ବାଦିକ ବିଜୟଙ୍କ ଅନୁସାରେ ଗତକାଲି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା କୁଲ୍‌ଥିପାଲି ଗାଁରେ ଏକ ଗାର୍ଡ ୱାଲ୍ କାମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ସେ ଯାଇଥିଲେ । ଘଟଣାସ୍ଥଳରେ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ କାମରେ ନିୟୋଜିତ ଠିକାଦାର ଗଜେନ୍ଦ୍ର ଦଲେଇ ଓ କିଛି ଗୁଣ୍ଡା ଶ୍ରେଣୀୟ ଲୋକେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏପରିକି ସାମ୍ବାଦିକ ଶ୍ରୀ ପ୍ରଧାନଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ କରି ତାଙ୍କୁ ଅପମାନିତ କରିବା ସହ ନିସ୍ତୁକ ମାଡ ମାରିଥିଲେ । ଆଗକୁ ଏପରି ଖବର କଲେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିବା ବିଜୟ କହିଛନ୍ତି । ଏସଂପର୍କ ଗତକାଲି ସାମ୍ବାଦିକ ବିଜୟ ପ୍ରଧାନ ପୁଇଁତଲାର ଥାନାରେ ଅଭିଯୋଗ କରିଥିବା ବେଳେ ଦୋଷୀ ଠିକାଦାରଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଏସ୍‌ପି ଅଫିସ ପରିସରରେ ଧାରଣାରେ ବସିଥିଲେ । ପରେ ଏଡ଼ିସନାଲ୍ ଏସ୍‌ପି ସାମ୍ବାଦିକମାନଙ୍କଠାରୁ ଦାବୀପତ୍ର ଗ୍ରହଣ କରି ଖୁବ୍‌ ଶୀଘ୍ର ଦୋଷୀମାନଙ୍କୁ ଗିରଫ୍‌ କରିବା ପାଇଁ ପ୍ରତିଶ୍ର୍ରୁତି ଦେଇଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ବଲାଙ୍ଗିର ସହରର କାର୍ଯ୍ୟରତ ସାମ୍ବାଦିକ ଗୋପବନ୍ଧୁ ସତପଥୀ, ନବୀନ ପଶାୟତ, ମନୋରଞ୍ଜନ ଯୋଶୀ, ବଲରାମ ମିଶ୍ର, ଆନନ୍ଦ ଚଂଦ୍ର ସାହୁ, ଶରତ ମହାକୁର, ଶରତ ମିଶ୍ର, ରଘୁନନ୍ଦନ ସିଂହ, ମହେନ୍ଦ୍ର ଦର୍ଜୀ, ଶେଖ ମହମ୍ମଦ ୱାହିଦ, ଗୁପ୍ତେଶ୍ଵର ପୃଷ୍ଟି, ରାଧାକୃଷ୍ଣ ମିଶ୍ର, ଚିତ୍ରସେନ ବେହେରା, ପବନ ବଂଶଲ, ସାନୁଜ ମିଶ୍ର, ବଣ୍ଟି ମିଶ୍ର, ମହେନ୍ଦ୍ର ପ୍ରଧାନ, ନୂତନ ମିଶ୍ର, ସଚିଦାନନ୍ଦ ବଗର୍ତ୍ତୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.