ସ୍କୁଲ ପ୍ରବେଶ ଦିନରେ ଛାତ୍ରଛାତ୍ରୀଙ୍କୁ କୋଭିଡ-୧୯ ସଚେତନତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଯେତେଦିନ ପର୍ଯ୍ୟନ୍ତ କରୋନା ଟୀକା ଆସିନାହିଁ, ସେତେ ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତା, ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା ଆଦି ସତର୍କତା ମୂଳକ ପଦକ୍ଷେପକୁ ଆପଣେଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପି ଅନୁପାଳନ କରି ବିଦ୍ୟାଳୟରେ ପାଠପଢା କାର୍ଯ୍ୟକ୍ରମରେ ପ୍ରତିବଦ୍ଧତା ସହିତ ସମସ୍ତ ଛାତ୍ରଛାତ୍ରୀ ଆଗେଇ ଆସିବା ହିଁ ବର୍ତ୍ତମାନର ସର୍ବୋକୃଷ୍ଟ ଆହ୍ୱାନ । ଏହି ଭାବନାକୁ ସମ୍ମାନ ଜଣାଇ ଡୁଙ୍ଗୁରିପାଲି ବ୍ଲକର ମାହାବର୍ହା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗତକାଲି ସ୍କୁଲ ପରିସରରେ ବିଦ୍ୟାରମ୍ଭ କରିବା ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପ୍ରବେଶ ଦ୍ୱାରରେ ସ୍ୱାଗତ କରାଯାଇ ସେମାନଙ୍କୁ ସାନିଟାଇଜ୍‌ କରାଯାଇଥିଲା ଓ ମାସ୍କ ବଂଟନ କରାଯାଇ ତାକୁ ପରିଧାନ କରିବାର ଉପଯୁକ୍ତ ପଦ୍ଧତି ବିଷୟରେ ବୁଝାଯାଇଥିଲା । ସମସ୍ତଙ୍କୁ ଜଣ ଜଣ କରି ଶ୍ରେଣୀଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ୬ଫୁଟ ବ୍ୟବାଧାନରେ ନିଜ ନିଜର ନିର୍ଦ୍ଦିଷ୍ଟ ସିଟରେ ବସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତତ୍‌ପରେ ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥିତିରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ବସନ୍ତ କୁମାର ହୋତା ସରକାରଙ୍କୁ ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପିକୁ ପଢି ଶୁଣାଇଥିଲେ ଏବଂ ସମସ୍ତ ନିୟମକୁ ମାନିଚଳି ବିଦ୍ୟଳୟରେ ଶିକ୍ଷାଦାନ ପ୍ରକ୍ରିୟାରେ ସମସ୍ତେ ସହ ଯୋଗ କରିବାକୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ପରାମର୍ଶଦାତା ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜାରୀ, ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ସଂଜୀବ କୁମାର ପୂଜାରୀ, ବିଭୀଷଣ ଖମାରି, କିଶୌର ଚନ୍ଦ୍ର ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିବସରେ ଅନ୍ତିମ ପର୍ଯ୍ୟାୟରେ ଏବିଇଓ ଦିଲ୍ଲୀପ କୁମାର ମେହେର ଏବଂ ସଓଆରସିସି ନରେନ୍ଦ୍ର କୁମାର ପୁରୋହିତ ବିଦ୍ୟାଳକୁ ଆସି ମନିଟରିଂ କରିଥିଲେ । ଶେଷରେ ସ୍କାଉଟ ମାଷ୍ଟର ତଥା ଜିଲ୍ଲ୍‌ା ସ୍କାଉଟ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.