
ରାଉରକେଲା, (ସସ୍ମିତା ପ୍ରଧାନ) : ଜନଶକ୍ତି ନିର୍ମାଣ ଶ୍ରମିକ ସଭା ଓ ଜନତା ମଜଦୁର ସଂଘ ମିଳିତ ଆନୁକୂଲ୍ୟରେ ସେକ୍ଟର ୭ ସ୍ଥିତ ସଂଗଠନର କାର୍ଯ୍ୟାଳୟ ସିଅରଠାରେ ଏକ ନିର୍ମାଣ ଶ୍ରମିକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶ୍ରମିକ ନେତା ତଥା ରାଜ୍ୟ ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଯୁଗ୍ମ ଶ୍ରମ କମିଶନର ଘାସିରାମ ଟୁଡୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ରାଜ୍ୟ ହିନ୍ଦ୍ ମଜଦୁର ସଭାର ସମ୍ପାଦକ ପ୍ରମୋଦ କୁମାର ଦାସ, ରାଉରକେଲା ମଜଦୁର ସଭାର ଉପସଭାପତି ଦିଲ୍ଲୀପ କୁମାର ଜେନା, ସିଅର ସଂଗଠନର ଉପସଭାପତି ସନ୍ତୋଷ ନାୟକ, ସନ୍ତୋଷ ସୋରେନ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ଟୁଡୁ ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟତଃ ସମସ୍ତେ ନିଜକୁ ପଞ୍ଜିକୃତ କରିବାକୁ ଆହ୍ୱାନ କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ ଭଉଣୀ ଓ ଭାଇ ତଥା ସେମାନଙ୍କ ପରିବାରଙ୍କ ପ୍ରତି ଯେଉଁ ସବୁ ସୁଖ ସୁବିଧା ମାନ ସରକାର ନିର୍ଦ୍ଧାରିତ କରୁଛନ୍ତି ସେ ସବୁରୁ ଯେପରି ବଞ୍ଚିତ ନହୁଅନ୍ତି ଏବଂ ସେସବୁର ଲାଭ ପାଇପାରିବେ ସେଥିପ୍ରତି ସଂଗଠନ କାମ କରିବା ଆବଶ୍ୟକ ବୋଲି କହିଥିଲେ । ସଭାପତି ଶ୍ରୀ ଦାସ ଏବଂ ଅନ୍ୟ ସମସ୍ତ ଅତିଥିମାନେ ଏହି ଅବସରରେ ସମସ୍ତ ନିର୍ମାଣ ଶ୍ରମିକ ଭଉଣୀ ଓ ଭାଇମାନଙ୍କର କିପରି ସମସ୍ତ ସୁବିଧା ଏବଂ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁଖ ସୁବିଧା, ବେନିଫିଟ ମିଳୁଛି ସେ ବିଷୟରେ ଜଣାଇବା ସଙ୍ଗେ ସଙ୍ଗେ ସେସବୁ କେଉଁ ଭଳି ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ । ସମସ୍ତଙ୍କୁ ସଂଗଠନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଲିନା କିଣ୍ଡୋ, ଛବି ପାଣି, କ୍ରିଷ୍ଣା କିଣ୍ଡୋ, ଅନିମା ଟପ୍ପୋ, ଛବି ସିଂ, ଜମୁନା ଖାଡିଆ, ଧନୁଆରୀ ଏକ୍କା, ସଂଧ୍ୟା ମୁଦୁଲି, ମୋନାଲିସା ଲେଙ୍କା, ଲିପି ଘୋଷ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୋଭିଡ ସମୟରେ କିଛି ନିର୍ମାଣ ଶ୍ରମିକଙ୍କ କାର୍ଡ ନଷ୍ଟ ହୋଇଥିଲା । ସେ କାର୍ଡ ପୁନଃ ଭାବରେ କରାଯାଇଥିଲା ଏବଂ କିଛି ଶ୍ରମିକଙ୍କ ନୂତନ ଭାବେ କାର୍ଡ ପ୍ରସ୍ତୁତ କରାଯାଇ ମୁଖ୍ୟ ଅତିଥି ଶ୍ରୀ ଟୁଡୁଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା । ଶତାଧିକ କାର୍ଡ ଏହି ଅବସରରେ ବଣ୍ଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଈଶ୍ୱର ଭଞ୍ଜ, ସୁକାନ୍ତ ସ୍ବାଇଁ, ମୁକ୍ତା ଛତ୍ରିଆ, ଆକାଶ ସ୍ବାଇଁ, ବବୁଲୁ ମହାରଣା ସହଯୋଗ କରିଥିଲେ । ଶେଷରେ ଲିଜା ମହାରଣା ଧନ୍ୟବାଦ ଦେଇଥିଲେ ।