ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରିଚ୍‌ପାଲ୍‌ ସାଗର ନିଲମ୍ବିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ୍‌ ଶିକ୍ଷା ଅଧିକାରୀ ରିଚ୍‌ପାଲ୍‌ ସାଗର ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୪ ଅଗଷ୍ଟ ରାଜ୍ୟ ସରକାରଙ୍କ ତରଫରୁ ଏକ ପତ୍ର ଜରିଆରେ ରିଚ୍‌ପାଲ୍‌ ସାଗରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ସୁଦ୍ଧା ବିଭିନ୍ନ ଅର୍ଥ ହେର୍‌ଫେର୍‌ ମାମଲାରେ ତାଙ୍କୁ ଦୋଷୀ କରାଯାଇ ଏହି ପଦକ୍ଷେପ ନିଆଯାଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉ କି, ସେ ଏ ବିଭାଗର ଡିଡିଏ ପଦବୀରେ ଥିଲେ । ତାଙ୍କ ସମୟରେ ଗୁଡ଼ାଏ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା । ସେ ଭିତରୁ କିଛି ଲୋକ ଚାକିରୀ ନ ଥିବା ବେଳେ ତାଙ୍କ ନାଁରେ ପେନ୍‌ସନ୍‌ ଦିଆ ଯାଇଥିଲା । ସେହି କାଗଜପତ୍ରରେ ରିଚ୍‌ପାଲ୍‌ ସାଗରଙ୍କ ଦସ୍ତଖତ ରହିଥିବା ବେଳେ ବଡ଼ ଧରଣର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଥିଲା । ଏହି ମାମଲାରେ ପୂର୍ବରୁ ବଲାଙ୍ଗିରର ପ୍ରମୋଦ ରଥ ନାମକ ଜଣେ କିରାଣୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ତେବେ ପୁଲିସ ଓ ପ୍ରଶାସନ ତରଫରୁ ଏହାର ତଦନ୍ତ ଜାରି ରହିଛି । ଆଗାମୀ ଦିନରେ ଏହାର ଚାର୍ଜସିଟ୍‌ ପ୍ରସ୍ତୁତ କରି ବିଭାଗ ସରକାରଙ୍କ ପାଖରେ ଉପସ୍ଥାପିତ କରିବ, ଯେଉଁଥିରେ ଏହି ଘଟଣାର ପୁଂଖାନୁପୁଂଖ ବିବରଣୀ ରହିବା ଆଶା କରାଯାଉଛି । ତାହେଲେ ଏହି ଘଟଣାର ସଂପୂର୍ଣ୍ଣ ପର୍ଦ୍ଦାଫାସ୍‌ ହୋଇ ପାରିବ ବୋଲି ବିଭାଗ ତରଫରୁ କୁହାଯାଇଛି ।

Leave A Reply

Your email address will not be published.