ଗାଁକୁ ନାହିଁ ରାସ୍ତା : ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ବରଗଡ, (ନିରୋଜ କୁମାର ପାଣୀ) : ଗାଁକୁ ନାହିଁ ରାସ୍ତା ଫଳରେ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ ଏ ହେଉଛି ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ତୋରା ପଞ୍ଚାୟତର ବଡ଼ଟିକରା ଗ୍ରାମର ଅଭାବନୀୟ ଦୃଶ୍ୟ । ଗାଁ ଲୋକଙ୍କ କହିବା ଅନୁସାରେ ଅଦିନିଆ ବର୍ଷାରେ ଗାଁ ରାସ୍ତାରେ ଜମିଛି ଆଣ୍ଠୁଏ ଆଣ୍ଠୁଏ କାଦୁଅ ଫଳରେ ଗ୍ରାମକୁ ପ୍ରବେଶ କରି ପାରିନଥିଲା ଅମ୍ବୁଲାନ୍ସ । ବର୍ଷ ପରେ ବର୍ଷ ବୁତୁଛି କିନ୍ତୁ ଗାଁକୁ ପକ୍କା ରାସ୍ତା ଖଣ୍ଡେ ତିଆରି ହୋଇ ପାରୁନାହିଁ । ବ୍ଲକ ଅଫିସ ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଏ ଗ୍ରାମ କିନ୍ତୁ ଏଠାରେ ବିକାଶ ଅପହଞ୍ଚ । ଗ୍ରାମର ସମସ୍ୟା ବିଷୟରେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗ୍ରାମବାସୀଙ୍କୁ ନିରାଶ ହେବାକୁ ପଡିଛି ।

ସମ୍ପୂର୍ଣ ଘଟଣାଟି ହେଲା ଆଜି ଗାଁର ଜଣେ ଅସହାୟ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ତାଙ୍କୁ ମେଡ଼ିକାଲ ନେବା ପାଇଁ ଗାଁ ଲୋକେ ୧୦୮ ଅମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ରାସ୍ତାଟି କାଦୁଅ ପଚ ପଚ ହୋଇ ଥିବାରୁ ଗ୍ରାମ ମଧ୍ୟକୁ ଅମ୍ବୁଲାନ୍ସଟି ପ୍ରବେଶ କରି ପାରିନ ଥିଲା ଫଳରେ ଅମ୍ବୁଲାନ୍ସ ଚାଳକ ଓ ସ୍ୱାସ୍ଥ୍ୟକର୍ମୀ ଉଭୟ ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଷ୍ଟ୍ରେଚରରେ ବୋହି ଆଣିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ବିଭିନ୍ନ ସମୟରେ ପକ୍କାରାସ୍ତା ନିର୍ମାଣ କରିବାକୁ ଦାବୀ କରିଥିଲେ ମଧ୍ୟ ନିର୍ମାଣ ହୋଇ ପାରୁ ନଥିବାରୁ ଜରୁରୀ ପରିସ୍ଥିତିରେ ଏପରି ସମସ୍ୟା ଦେଖାଯାଇଥାଏ । ଜିଲ୍ଲା ପ୍ରଶାସନକୁ ଅନୁରୋଧ ତୁରନ୍ତ ଏ ଗ୍ରାମକୁ ଯିବାପାଇଁ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ କରାଯାଉ ବୋଲି ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.