ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଥିଲେ । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ । ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ କାରଣ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥାନ୍ତି ଲୋକେ । ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାନ୍ତି । ସବୁଠି ଜମିଥିଲା ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରନ୍ତି ସମସ୍ତେ । ଏହି ଦିନରେ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଥାନ୍ତି । ହୋଲି ପାଇଁ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏନେଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରୁ ଦୋଳ ବିମାନ ବାହାରି ସମଗ୍ର ସହର ପରିକ୍ରମା କରିଥିବା ବେଳେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ, ସ୍ୱେଚ୍ଛାସେବୀ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ନାଚ ଗୀତର ତାଳେତାଳେ ପରିକ୍ରମା କରି ହୋଲି ରଙ୍ଗ ଲଗାଇଥିଲେ । ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହ ଓ ଉଦ୍ଦୀପନାରେ ପାଳନ କରିଛନ୍ତି ହୋଲି ପର୍ବ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ନାଚ ଗୀତର ଆସର ମଧ୍ୟ ଜମିଥିଲା । କେବଳ ରଙ୍ଗର ପର୍ବ ନୁହେଁ ବରଂ ପରସ୍ପର ମଧ୍ୟରେ ସଂପ୍ରୀତି, ସଦଭାବ, ସୌହାର୍ଦ୍ଦ୍ୟ ରକ୍ଷା ଲାଗି ହୋଲି ପାଳନ କରାଯାଉଛି । ଏହି ରଙ୍ଗର ପର୍ବ ହୋଲି ନିମନ୍ତେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦେଶରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସମଗ୍ର ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କଡାକଡି ନଜର ରଖାଯାଇଥିବା ବିଷୟ ପ୍ରକାଶ କରିଛନ୍ତି ।