ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଫୁଲ, ଚନ୍ଦନ ଦେଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରଥମ ଛାତ୍ରଛାତ୍ରୀମାନେ ନିଜସ୍ୱ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେବା ସହ ପାଠ୍ୟଖସଡା, ପରୀକ୍ଷା ପ୍ରଣାଳୀ ଓ ପ୍ରଶ୍ନପତ୍ରର ମାର୍କ ବ୍ୟବସ୍ଥା ସମ୍ପର୍କରେ କହିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ବୈବସୂତ ବିଶ୍ୱାଳ ଶୃଙ୍ଖଳା ଆଚରଣ ସମ୍ବନ୍ଧରେ, ଇତିହାସ ଅଧ୍ୟାପକ ରୁଦ୍ରଧର ତ୍ରିପାଠୀ ଅନୁଷ୍ଠାନକୁ ନିର୍ଯ୍ୟାତନା ମୁକ୍ତ ରଖିବା ବିଷୟରେ, ଶିକ୍ଷା ଅଧ୍ୟାପକ ନିଳାଚଳ ତ୍ରିପାଠୀ ଶିକ୍ଷାର ଆବଶ୍ୟକତା ଓ ଭବିଷ୍ୟତ ବିଷୟରେ, ସହକାରୀ ଲାଇବ୍ରେରିଆନ ଭୁବନେଶ୍ୱର ମହାକୁର ଇ-ଲାଇବ୍ରେରୀ ବିଷୟରେ, ଖେଳ ଶିକ୍ଷକ ମିତ୍ରଭାନୁ ବିଶ୍ୱାଳ ଅନୁଷ୍ଠାନର ସମୟ ନିର୍ଘଣ୍ଟ ବିଷୟରେ ଅବଗତ କରାଇଥିଲେ । ପ୍ରଥମ ବର୍ଷର ଛାତ୍ରୀ ପ୍ରତିଜ୍ଞା ତ୍ରିପାଠୀ ଭଲ ଭାବେ ପାଠ ପଢି ନିଜ ଭବିଷ୍ୟତକୁ ସଠିକ ଭାବରେ ଗଢିବୁ ବୋଲି କହିଥିବା ବେଳେ ଛାତ୍ରୀ ତୃପ୍ତିମୟୀ ଶତପଥୀ ଜଣେ ଉତ୍ତମ ଛାତ୍ର ଭାବେ ସମାଜର ବିକାଶରେ ସାମିଲ ହେବୁ ବୋଲି ନିଜସ୍ୱ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଇଂରାଜୀ ଅଧ୍ୟାପିକା ନିରୁପମା ସାହୁ କରିଥିବା ବେଳେ ଓଡିଆ ଅଧ୍ୟାପକ ଚୈତନ୍ୟ ଦଣ୍ଡସେନା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.