
ଡକାୟତି ଓ ଅସ୍ତ୍ରଶସ୍ତ୍ର ବିକ୍ରୟ ପୂର୍ବରୁ ମାଡ଼ିବସିଲା ବନ୍ଧମୁଣ୍ଡା ପୋଲିସ ୬ ଡକାୟତ ଗିରଫ : ବହୁ ଅସ୍ତ୍ରଶସ୍ତ୍ର ଜବତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନ୍ଧମୁଣ୍ଡା ପୋଲିସ୍ ୬ ଜଣ ଡକାୟତଙ୍କୁ ଗିରଫ୍ କରିବା ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫ ହୋଇଥିବା ୬ ଜଣ ଅପରାଧୀଙ୍କ ମଧ୍ୟରେ ରହିଛି ମାଷ୍ଟରମାଇଣ୍ଡ ମିଟୁ ତନ୍ତୀ । ଅପରାଧି ମିଟୁ ତନ୍ତୀ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ୩୪ଟି ମାମଲା ରହିଛି । ଅନ୍ୟ ୫ ଅପରାଧିଙ୍କ ମଧ୍ୟରେ ଜମି ମାଫିଆ ବିବେକ ମୋଦକ, ଅଂଶୁ କୁମାର, ବାବୁ ଓରଫ୍ ଅଜୟ ପଟ୍ଟନାୟକ, ଅନ୍ତୁ ମୂଖୀ, ବିଟୁ ତନ୍ତୀ ଏବଂ ୱପାଇ କ୍ରୀଷ୍ଣା ଗିରଫ କରାଯାଇଥିବା ଏହି ୬ ଅପରାଧିଙ୍କ ନିକଟରୁ ୫ଟି ଅତ୍ୟାଧୁନିକ ଦେଶୀ ପିସ୍ତଲ, ୧୫ଟି ଜୀବନ୍ତ ଗୁଳି, ୫ଟି ମ୍ୟାଗାଜିନ୍, ଖଣ୍ଡା, ଭୁଜାଲି, ୫ଟି ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି । ଗିରଫ ହୋଇଥିବା ସମସ୍ତ ଅପରାଧିମାନେ ରବିବାର ଦିନ ରାତିରେ ଏକ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ୍ ସେମାନଙ୍କୁ ଗିରଫ କରିଥିଲା ବୋଲି ବନ୍ଧମୁଣ୍ଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ମିଶ୍ର । ଗତ କେତେଦିନ ହେଲା ରାଉରକେଲା ସହରକୁ ବହୁ ପରିମାଣରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଆସୁଥିବା ବିଷୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର କହିଛନ୍ତି ଯେ, ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଏହିସବୁ ଅସ୍ତ୍ରଶସ୍ତ୍ର ଆଣି ଏଠାରେ ବିଭିନ୍ନ ଅପରାଧ ଘଟାଇବା ପାଇଁ ଯୋଜନା କରାଯାଉଛି । ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ତାହାର ନିରାକରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।